ଆଉ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା । ସର୍ଟ ସର୍କିଟ ପାଇଁ ପୁରା ଟ୍ରେନରେ ବ୍ୟାପିଗଲା ନିଆଁ

ଗତ ଜୁନ ୨ ତାରିଖରେ ସବୁଠାରୁ ବଡ଼ ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିଲା । ସେହି ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ ତାହା ଭାବିଲେବି ବର୍ତ୍ତମାନ ଲୋମ ଟାଙ୍କୁରି ଉଠୁଛି । ଆଉ ସେବେଠାରୁ କ୍ରମାଗତ ଭାବରେ ଏକାଧିକ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘଟଣା ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଛି ଯାହାକି ତେଲେଙ୍ଗାନା ରାଜ୍ୟରେ ହୋଇଛି । ଆଉ ଘଟଣାର ଭିଜୁଆଲ ବର୍ତ୍ତମାନ ସବୁଠି ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଦୁଃଖିତ ହେବେ ।

ସୂଚନା ଅନୁଯାୟୀ ଏହି ଘଟଣା ତେଲେଙ୍ଗାନାର ଯାଦଦ୍ରୀ ଭାବନାଗିରି ଜିଲ୍ଲାର ପାଗଡ଼ିପାଲି ବୋମବାୟପଲି ଷ୍ଟେସନ ନିକଟରେ ଘଟି ଯାଇଛି । ତେବେ କୁହାଯାଉଛି ଯେ ଏହି ଘଟଣା ସର୍ଟ ସର୍କିଟ କାରଣରୁ ହୋଇଛି ବୋଲି । ଘଟଣା ଏହା ଥିଲା ଯେ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଟ୍ରେନରେ ହଠାତ ବମ୍ବାଇପଲି ଷ୍ଟେସନ ନିକଟରେ ନିଆଁ ଲାଗିଯାଇଥିଲା । ଆଉ ନିଆଁ ଦେଖି ଲୋକେ ଭୟଭୀତ ହୋଇ ପ୍ରାଣ ବିକଳରେ ଏଣେ ତେଣେ ଦୌଡ଼ିବାରେ ଲାଗିଥିଲେ । ନିଆଁ ଏତେ ଜୋରରେ ଲାଗିଥିଲା ଯେ ମାତ୍ର ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ତିନୋଟି ବଗିରେ ନିଆଁ ବ୍ୟାପି ଯାଇଥିଲା ।

ତେବେ ଟ୍ରେନରେ ଥିବା ଲୋକେ ସମୟ ଥାଉ ଥାଉ ବଗିରୁ ବାହାରି ସୁରକ୍ଷିତ ସ୍ଥାନକୁ ବାହାରି ଯାଇଥିଲେ । ତେବେ ସୂଚନା ରହିଛି ଯେ ଏହି ଘଟଣାରେ କାହାରି ମୃତ୍ୟୁ ହୋଇନାହିଁ । କିନ୍ତୁ କେତେ ଜଣ ଆହତ ହୋଇଛନ୍ତି ସେ ବିଷୟରେ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନାହିଁ ।

ତେବେ ଘଟଣାର ତୁରନ୍ତ ପରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିବା ସୂଚନା ମିଳିଛି । ତେବେ ଏଠାରେ କହି ରଖିବୁ ଯେ ଏହା କୌଣସି ଛୋଟ ଘଟଣା ନୁହେଁ । କାରଣ ଏଭଳି କ୍ରମାଗତ ଭାବରେ ଏକାଧିକ ଟ୍ରେନ ଦୁର୍ଘଟଣା ଏକ ମାସ ମଧ୍ୟରେ ଦେଖାଯିବା ଆଶ୍ଚର୍ଯ୍ୟ ଜନକ ଅଟେ । ତେବେ ଏହି ଘଟଣା ପଛରେ ସର୍ଟ ସର୍କିଟ ଥିବା କୁହାଯାଉଥିବା ବେଳେ ଅନ୍ୟ କିଛି କାରଣ ରହିଛି କି ନାହିଁ ତାହା ଜଣା ପଡ଼ିନାହିଁ ।

Leave a Reply

Your email address will not be published. Required fields are marked *