କ’ଣ ପତିଙ୍କ ପେନ୍ସନ୍ ଉପରେ ଦ୍ୱିତୀୟ ପତ୍ନୀଙ୍କ ଅଧିକାର ଅଛି? ଜାଣନ୍ତୁ କୋର୍ଟର ନିଷ୍ପତି:-

ବମ୍ବେ ଉଚ୍ଚ ନ୍ୟାୟାଳୟ ବୁଧବାର ଦିନ ନିର୍ଦ୍ଦେଶ ଦେଇଛି ଯେ ଦ୍ୱିତୀୟ ପତ୍ନୀ ତାଙ୍କ ମୃତ ସ୍ୱାମୀଙ୍କ ପେନ୍‌ସନ୍‌ ପାଇବେ ନାହିଁ ଯଦି ପ୍ରଥମ ବିବାହକୁ ଆଇନଗତ ଭାବରେ ଶେଷ ନକରି ଏହି ଦ୍ୱିତୀୟ ବିବାହ ହୋଇଥାଏ । ଜଷ୍ଟିସ୍ ଏସ୍ ଜେ କଠୱାଲା ଏବଂ ଜଷ୍ଟିସ ଯାଦବ ସୋଲାପୁର ନିବାସୀ ଶାମଲ ଟାଟେଙ୍କ ଆବେଦନକୁ ଖାରଜ କରିଛନ୍ତି, ଯେଉଁଥିରେ ସେ ପେନ୍‌ସନ୍‌ ସୁବିଧା ଦେବାକୁ ମନା କରିବାରୁ ସରକାରଙ୍କୁ ଚ୍ୟାଲେଞ୍ଜ କରିଥିଲେ ।

ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ ଟାଟେଙ୍କ ସ୍ୱାମୀ ମହାଦେବ ସୋଲାପୁର ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟରେ ଏକ ଚପରାସି ଭାବରେ କାର୍ଯ୍ୟ କରୁଥିଲେ ଏବଂ 1996 ମସିହାରେ ସେ ମୃତ୍ୟୁ ବରଣ କରିଥିଲେ । ବିବାହିତ ଥିବା ସମୟରେ ମହାଦେବ ତାଙ୍କର ଦ୍ୱିତୀୟ ପତ୍ନୀଙ୍କୁ ବିବାହ କରିଥିଲେ । ମହାଦେବଙ୍କ ପ୍ରଥମ ପତ୍ନୀ କ୍ୟାନସରରେ ମୃତ୍ୟୁବରଣ କରିବା ପରେ ଦ୍ୱିତୀୟ ପତ୍ନୀ ଟାଟେ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଥିଲେ ଯେ ମହାଦେବଙ୍କ ଅବଶିଷ୍ଟ ପେନ୍‌ସନ୍‌ ତାଙ୍କୁ ପ୍ରଦାନ କରାଯାଉ ।

ଅନେକ ବିଚାର ବିମର୍ଶ ପରେ 2007 ରୁ 2014 ମଧ୍ୟରେ ଟାଟେ ଦାଖଲ କରିଥିବା ଚାରି ଆବେଦନକୁ ରାଜ୍ୟ ସରକାର ଖାରଜ କରିଥିଲେ । ଏହା ପରେ ଟାଟେ 2019 ରେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଲେ । ସେ କହିଥିଲେ ଯେ ସେ ମହାଦେବଙ୍କ ତିନି ସନ୍ତାନଙ୍କ ମାତା ଏବଂ ଏହି ବିବାହ ବିଷୟରେ ସମାଜକୁ ଜଣାଅଛି । ତେଣୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ପେନସନ ପାଇବାକୁ ହକଦାର ।

ଉଚ୍ଚତମ ନ୍ୟାୟାଳୟର ବିଭିନ୍ନ ରାୟକୁ ନଜରରେ ରଖି ଅଦାଲତ ଦର୍ଶାଇଛି ଯେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ପ୍ରଥମ ବିବାହ ଆଇନଗତ ଭାବରେ ଶେଷ ହୋଇନଥିଲେ ଦ୍ୱିତୀୟ ବିବାହ ଅଵୈଧ ଅଟେ ।

ଅଦାଲତ କହିଛି ଯେ ଆବେଦନକାରୀଙ୍କୁ ପେନ୍‌ସନ୍‌ ନଦେବା ରାଜ୍ୟ ସରକାରଙ୍କ ସଠିକ୍‌ ନିଷ୍ପତ୍ତି ଥିଲା । ରାଜ୍ୟ ସରକାର କହିଥିଲେ ଯେ କେବଳ ଆଇନଗତ ଵୈଧ ପତ୍ନୀ ହିଁ ପେନସନର ହକଦାର ଅଟନ୍ତି । ତେଣୁ ଅଦାଲତ ଏହି ଆବେଦନକୁ ଖାରଜ କରିଛି ।

Leave a Reply

Your email address will not be published. Required fields are marked *