ବଡ଼ଚଣା ବିଧାନସଭା ଆସନରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପଛରେ ରହିଛି ଏସବୁ କାରଣ।

କାହିଁକି ବଡ଼ଚଣାରୁ ପ୍ରାର୍ଥୀ ହେଲେ ବର୍ଷା।ବିଜେଡି ମୁଖିଆଙ୍କ କ’ଣ ରହିଛି ପ୍ଲାନ? ବର୍ଷାଙ୍କୁ ଟିକେଟ ଦେବାର ରହିଛି ନିର୍ଦିଷ୍ଟ କାରଣ। ହଁ ଆଜ୍ଞା ବନ୍ଧୁଗଣ ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଆଉ ଏହି ପର୍ଯ୍ୟାୟର ରାଜ୍ୟର ଆଉ ୯ ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନା ଘୋଷଣା କରିଛି ଶାସକ ଦଳ।

ତେବେ ଏହି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିରୋଧିକୁ ଏକାଧିକ ଝଟକା ଦେଇଛି ବିଜେଡି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଯାଜପୁର ଜିଲ୍ଲା ବଡ଼ଚଣା ଆସନରୁ ପ୍ରାର୍ଥୀ କରି ସବୁଠାରୁ ବଡ଼ ସରପ୍ରାଇଜ ଦେଇଛନ୍ତି ବିଜେଡି ସୁପ୍ରିମ। କାରଣ ଏବେ ବଡ଼ଚଣାରୁ ବିଧାୟକ ଥିବା ଅମର ଶତପଥୀଙ୍କ ଭଳି ବରିଷ୍ଠ ବିଜେଡି ନେତା ଏବଂ ଆହୁରି ଆଶାୟୀ ପ୍ରାର୍ଥୀ ଥାଉ ଥାଉ ବର୍ଷାଙ୍କ ଭଳି ନବଗତାଙ୍କୁ ଏଠାରୁ ଦଳ ପ୍ରାର୍ଥୀ କରିବା ପରେ କେବଳ ବିରୋଧୀ କାହିଁକି ଅନେକ ଦଳୀୟ ନେତା ବି ହୋଇଛନ୍ତି ଆଶ୍ଚର୍ଯ୍ୟ।ତେବେ ବଡ଼ଚଣାରୁ ବିଜେଡି ବର୍ଷା ପ୍ରିୟଦର୍ଶିନୀଙ୍କୁ କାହିଁକି ପ୍ରାର୍ଥୀ କଲା ଆସନ୍ତୁ ଜାଣିବା ଏହାର ୭ଟି ସମ୍ଭାବ୍ୟ କାରଣ ଉପରେ।

ପ୍ରଥମ କାରଣ। ବଡ଼ଚଣାର ବର୍ତ୍ତମାନର ବିଧାୟକ ଅମର ଶତପଥି ୨୦୧୯ ରେ ମାତ୍ର ୧,୪୮୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେଣୁ ସ୍ୱାଭାବିକ ଭାବେ ଏତେ କମ ମାର୍ଜିନରେ ଜିତିଥିବା ଅମରଙ୍କ ବଦଳରେ ବଡ଼ଚଣା ଆସନରୁ ଏଥର ନୂଆ ମୁହଁ ଚାହୁଁଥିଲା ବିଜେଡି।

ଦ୍ୱିତୀୟ କାରଣ। ଜନ୍ମେଜୟ ଲେଙ୍କା ମଧ୍ୟ ଏଥର ବଡ଼ଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଦୃଢ଼ ଦାବିଦାର ଥିଲେ। କାରଣ ଜନ୍ମେଜୟ ୨୦୦୯ ରେ ବଡ଼ଚଣାରୁ ସ୍ୱାଧୀନ ପ୍ରାର୍ଥୀ ଏବଂ ୨୦୧୪ ରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି କଡା ଟକର ଦେଇଥିଲେ। ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଜନ୍ମେଜୟ ଲେଙ୍କା ବିଜେଡିରେ ମିଶିଥିଲେ। ଆଉ ଦଳ ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ ସେ ସାଙ୍ଗଠାନିକ କାର୍ଯ୍ୟରେ ସକ୍ରିୟ ଥିଲେ।

ତୃତୀୟ କାରଣ । ବଡ଼ଚଣାର ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କର ମଧ୍ୟ ଏହି ଅଞ୍ଚଳରେ ଭୋଟ ବ୍ୟାଙ୍କ ରହିଛି। ତାଙ୍କ ପୁଅ କ୍ୟାପଟେନ ରାଜନାରାୟଣ ମହାପାତ୍ର ଏହି ନିକଟରେ ବିଜେଡିର ମିଶିଛନ୍ତି। ତେଣୁ ସେ ମଧ୍ୟ ବଡ଼ଚଣାରୁ ଟିକେଟ ପାଇଁ ଆଶାୟୀ ଥିବା କୁହାଯାଉଛି।

ଚତୁର୍ଥ କାରଣ। ଏଥର ବିଜେଡିରୁ ଅମର ଶତପଥିଙ୍କ ସମେତ ଜନ୍ମେଜୟ ଲେଙ୍କା ଏବଂ ରାଜନାରାୟଣ ମହାପାତ୍ର ମୋଟ ୩ ଜଣ ବଡ଼ଚଣା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଦୃଢ଼ ଦାବିଦାର ଥିଲେ। ଏହାଭିତରେ ବଡ଼ଚଣାର ବିଜେପି ନେତା ଅମର ନାୟକ ଏଠାରେ ବିଜେଡିର ବିଜୟୀ ରାସ୍ତାରେ ବଡ଼ ପ୍ରତିବନ୍ଧକ ବୋଲି କୁହାଯାଇପାରେ। କାରଣ ୨୦୧୯ ରେ ବଡ଼ଚଣାରୁ ବିଜେପି ପ୍ରାର୍ଥୀ ଅମର ନାୟକ ବିଜେଡି ପ୍ରାର୍ଥୀ ଅମର ଶତପଥୀଙ୍କ ଠାରୁ ହାରିଥିଲେ ବି ଭୋଟ ବ୍ୟବଧାନ ୧,୫୦୦ ରୁ ବି କମ ଥିଲା।

ପଞ୍ଚମ କାରଣ। ବଡ଼ଚଣାରେ ୩ ଜଣ ଆଶାୟୀ ପ୍ରାର୍ଥୀ ବା ଟିକେଟ ଦାବିଦାରଙ୍କୁ ନେଇ ବିଜେଡି ସମସ୍ୟାରେ ପଡିଥଲା ବୋଲି କୁହାଯାଉଛି। କାରଣ ଏମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କଲେ ଅନ୍ୟ ଆଶାୟୀଙ୍କ ଅସନ୍ତୋଷର ସାମ୍ନା କରିବାର ଆଶଙ୍କା ରହିଥିଲା ବୋଲି ଚର୍ଚ୍ଚା ହେଉଛି।

ଷଷ୍ଠ କାରଣ। ବଡ଼ଚଣାରେ ବର୍ଷା ପ୍ରିୟଦର୍ଶନୀଙ୍କୁ ବୁଝାମଣା ଭିତ୍ତିରେ ବିଜେଡି ପ୍ରାର୍ଥୀ କରିଥାଇପାରେ ବୋଲି କୁହାଯାଉଛି। କାରଣ ଗତ ଥର ଏଠାରୁ ମାତ୍ର ଅଳ୍ପକେ ପରାଜିତ ହୋଇଥିବା ବିଜେପିକୁ ଚେକ ଦେବା ପାଇଁ ବର୍ଷାଙ୍କ ଭଳି ସେଲିବ୍ରେଟିଙ୍କୁ ପ୍ରାର୍ଥୀ କରି ଅନ୍ୟ ୩ ଆଶାୟୀଙ୍କୁ ବୁଝାଇ ଦେବା ଦଳ ପାଇଁ ହୁଏତ ସହଜ ହୋଇଯିବ।

ସପ୍ତମ କାରଣ। ଯାଜପୁର ଜିଲ୍ଲାରେ ବିଜେଡି ବେସ ମଜବୁତ ସ୍ଥିତିରେ ଥିଲା ବେଳେ ବଡ଼ଚଣା ହେଉଛି ଦଳ ପାଇଁ ସବୁଠାରୁ ଦୁର୍ବଳ ଆସନ। ତେଣୁ ଏହି ଆସନରେ ୩ ଜଣ ଆଶାୟୀ ବିଧାୟିକ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ ବର୍ଷାଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ବିଜେଡି ଏକ ପ୍ରକାର ଜୁଆ ଖେଳିଛି କହିଲେ ଭୁଲ ହେବନାହିଁ।ତେବେ ଏଠାରେ ଆମେ ଜଣେଇ ଦେବା ପାଇଁ ଚାହିଁବୁ କି ବିଜେଡି ବର୍ଷା ପ୍ରିୟଦର୍ଶିନୀଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ହଠାତ ବଡ଼ଚଣାରୁ ପ୍ରାର୍ଥୀ ଭାବେ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *