ନିର୍ବାଚନ ମୈଦାନରେ ବିଜେଡି ପାଇଁ ପ୍ରଚାରକରିବେ ବାବୁସାନ-ପ୍ରକୃତି ମିଶ୍ର! ଦଳ କରୁଛି ବଡ଼ ପ୍ଲାନିଂ।।

ବିଜେଡି କରିଛି ବଡ଼ ପ୍ଲାନିଂ। ମୈଦାନକୁ ଓଲ୍ହାଇବେ ଷ୍ଟାର ପ୍ରଚାରକ। ପ୍ରଚାର କରିବେ ବାବୁସାନ ଓ ପ୍ରକୃତି। ହଁ ଆଜ୍ଞା ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ସରଗରମ ହେବାକୁ ଯାଉଛି ପ୍ରଚାର ମୈଦାନ। ଏଯାଏଁ ରାଜ୍ୟରେ ୩ ପ୍ରମୁଖ ଦଳ ବିଜେପି ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଶେଷ ହୋଇନଥିବା ବେଳେ ସବୁ ଦକ ସେମାନଙ୍କ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରସ୍ତୁତିରେ ଲାଗି ପଡିଛନ୍ତି। ତେବେ ଗତ ନିର୍ବାଚନରେ ବିଜେଡି ପାଇଁ ଷ୍ଟାର ପ୍ରଚାରକ ସାଜିଥିବା ଓଲିଉଡ ସିନେ ତାରକା ମାନେ ଏବେ ଆଉ ଦଳରେ ନାହାଁନ୍ତି। ସେମାନେ ବିଜେଡି ଛାଡି ବିଜେପିରେ ମିଶି ସାରିଛନ୍ତି।

ସିଦ୍ଧାନ୍ତ ମହାପାତ୍ର ଅନୁଭବ ମହାନ୍ତି ଅରିନ୍ଦମ ରାୟ ଏବଂ ଆକାଶଙ୍କ ଭଳି ସିନେ ତାରକାମାନେ ଦଳ ବଦଳାଇ ସାରିଛନ୍ତି। ତେଣୁ ସେମାନଙ୍କୁ ବିଜେପି ପାଇଁ ଏବେ ନିର୍ବାଚନ ପ୍ରଚାର କରୁଥିବାରୁ ଦେଖିବାକୁ ମିଳିବ। ଏହି ୪ ଜଣ ଚଳଚିତ୍ର ଅଭିନେତାଙ୍କ ମଧ୍ୟରୁ ସିଦ୍ଧାନ୍ତ ମହାପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଆକାଶ ଦାସ ନାୟକଙ୍କୁ ଯାଜପୁର ଜିଲ୍ଲା କୋରେଇରୁ ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓଲ୍ହାଇଛି ବିଜେପି। ତେଣୁ ସିଦ୍ଧାନ୍ତ ଏବଂ ଆକାଶ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ନିଜ ପାଇଁ ଏବଂ ନିଜ ନିଜ ଦଳର ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଯେଉଁଥିପାଇଁ ସେମାନେ ରାଜ୍ୟରେ ଅନ୍ୟ ଆସନ ଗୁଡିକରେ ଦଳ ପ୍ରଚାରକ ଷ୍ଟାର ତାଲିକାରେ ସାମିଲ ହେବେ କି ନାହିଁ ତାହା ଆଗକୁ ଜଣା ପଡିବ। ହେଲେ ଅନୁଭବ ମହାନ୍ତି ଏବଂ ଅରିନ୍ଦମ ରାୟଙ୍କୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ କରିନାହାନ୍ତି ବିଜେପି।

ତେବେ ରାଜ୍ୟର ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ଅନୁଭବ ଏବଂ ଅରିନ୍ଦମ ପ୍ରାର୍ଥୀ ହେଉଛନ୍ତି କି ନାହିଁ ତାହା ଜଣା ପଡିବ। ଆଉ ଯଦି ଏହି ଦୁଇଜଣ ସିନେ ତାରକା ପ୍ରାର୍ଥୀ ହେଉନାହାନ୍ତି ତାହେଲେ ଷ୍ଟାର ପ୍ରଚାରକ ଭାବେ ସାରା ରାଜ୍ୟରେ ପ୍ରଚାର କରିବେ ବୋଲି କୁହାଯାଉଛି। ତେବେ ସିଦ୍ଧାନ୍ତ ଅନୁଭବ ଅରିନ୍ଦମ ଓ ଆକାଶଙ୍କ ଭଳି ବଡ଼ ଓଲିଉଡ ଷ୍ଟାରମାନେ ବିଜେପିରେ ଥିବା ବେଳେ ଦଳ ଏମାନଙ୍କୁ ପ୍ରଚାର ମୈଦାନକୁ ଓଲ୍ହାଇ ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟାକରିବ ନିଶ୍ଚୟ।

ହେଲେ ଏହି ମାମଲାରେ ଶାସକ ଦଳ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ ବରଂ ବିଜେଡିରୁ ଆସି ବିଜେପିରେ ମିଶିଥିବା ଏହି ସିନେ ତାରକା ମାନଙ୍କୁ ପ୍ରଚାର ମୈଦାନରେ ଟକର ଦେବା ପାଇଁ ଦଳ ଏକ ବଡ଼ ଟିମ ପ୍ରସ୍ତୁତ କରୁଥିବା କୁହାଯାଉଛି। ଏନେଇ ବିଜେଡି ୱାର୍ଡରୁମରେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ବଡ଼ ବଡ଼ ବଲିଉଡ କଳାକାରଙ୍କୁ ନେଇ ଏକ ବଡ଼ ପ୍ରଚାର ଟିମ ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି।

ସୁଡ଼ଷ୍ଟାର ବାବୁସାନ ଅମ୍ଳାନ ସୁପ୍ରିୟାଙ୍କ ସହ ପପୁ ଦେବାଶିଷ ସମ୍ବିଦ ଶଙ୍କର ଓ ପ୍ରଜ୍ଞାଙ୍କ ଭଳି ଅନେକ ଆଜି ଧାଡ଼ିର ଅଭିନେତା ଅଭିନେତ୍ରୀ ହାସ୍ୟ ଅଭିନେତା ଏବଂ କଣ୍ଠଶିଳ୍ପୀ ମାନେ ଗତ ଶୁକ୍ରବାର ନବୀନ ନିବାସରେ ପହଁଚିଥିଲେ। ପ୍ରାୟ ୨୨ ଜଣ ଓଲିଉଡ କଳାକାରଙ୍କ ସାଙ୍ଗରେ ଦଳୀୟ ପ୍ରଚାର ନେଇ ଆଲୋଚନା ହୋଇଥିବା କିଛି କଳାକାର ସୂଚନା ଦେଇଛନ୍ତି।

ଖାଲି ସେତିକି ନୁହେଁ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ବିଜେଡିର ମୁଖ୍ୟାଳୟ ଶଙ୍ଖ ଭବନକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଏବେ ମୁମ୍ବାଇରେ ରହି କାମ କରୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର କୁଆଡେ ବିଜେଡି ସହ ଯୋଗାଯୋଗରେ ଅଛନ୍ତି। କୁହାଯାଉଛି ଯେ କୁଆଡେ ଆଗାମୀ ଦିନରେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓଲ୍ହାଇ ପାରନ୍ତି ପ୍ରକୃତି ମିଶ୍ର। ତେଣୁ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କ ଭଳି ବଡ଼ ତଥା ଚର୍ଚ୍ଚିତ ଚେହେରା ଯଦି ପ୍ରଚାର ମୈଦାନକୁ ଓଲ୍ହାନ୍ତି ତେବେ ଏହା ବିଜେଡିକୁ ବେସ ଫାଇଦା ଦେବ ବୋଲି ଚର୍ଚା ହେଉଛି। କାରଣ ଓଡ଼ିଶାର ଗ୍ରାମାଞ୍ଚଳରେ ଭୋଟ ପ୍ରତିଶତ ଅଧିକ ରହିଥିବା ବେଳେ ସତକଡ଼ା ୮୦ ରୁ ୮୫ ସତକଡ଼ା ଭୋଟରମାନେ ବଥକୁ ଆସି ଭୋଟ ଦେଇଥାନ୍ତି।

ଏହା ସହ ଗ୍ରାମାଞ୍ଚଳରେ ସିନେ ତାରକା ମାନଙ୍କୁ ଦେଖିବାକୁ ମଧ୍ୟ ଲୋକମାନଙ୍କ ଭିଡ଼ ହୋଇଥାଏ। ତେଣୁ ଗାଁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କ ପରି ଚର୍ଚ୍ଚିତ କଳାକାରଙ୍କୁ ପ୍ରଚାର ମୈଦାନକୁ ଓଲ୍ହାଇ ସିଧା ଅରିନ୍ଦମ ଏବଂ ଆକାଶଙ୍କ ଭଳି ଅବିନେତାଙ୍କୁ କାଉଣ୍ଟର କରିବା ପାଇଁ ଯୋଜନା କରୁଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *