ପୁଣି ଶ୍ରୀକ୍ଷେତ୍ରରେ ଦେଖା ଗଲା ଅଦ୍ଭୁତ ଦୃଶ୍ୟ । ଠାବ ହେଲା ଆଉ ଏକ ରହସ୍ୟମୟ ସୁଡ଼ଙ୍ଗ । ଲୋକେ ଦେଖି ଆଶ୍ଚର୍ଯ୍ୟ ।

ପୁରୀ ଶ୍ରୀକ୍ଷେତ୍ରରେ ଅନେକ ସମୟରେ ଏପରି ସ୍ଥାନ ସବୁ ଠାବ କରାଯାଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ବାରମ୍ବାର ଏଭଳି ରହସ୍ୟମୟ ସ୍ଥାନ ବିଷୟରେ ଜଣା ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳ ଖାଲି ହେବା ପରେ ଏକ ରହସ୍ୟମୟ ସୁଡ଼ଙ୍ଗର ସନ୍ଧାନ ମିଳିଛି । ପୁଷ୍କରିଣୀର ଉତ୍ତର ପାର୍ଶ୍ଵରେ ଥିବା ପ୍ରାୟ ୨ ଫୁଟ ଓସାର ଓ ତିନି ଫୁଟ ଉଚ୍ଚତା ବିଶିଷ୍ଟ ଏହି ସୁଡ଼ଙ୍ଗ କେଉଁଠି ସଂଯୋଗ କରୁଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏହା ପାଣି ଭିତରେ ପୋତି ହୋଇ ରହିଥିବା ସୂଚନା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ ସୁଡ଼ଙ୍ଗ ଯେଉଁ ସ୍ଥାନରୁ ଖୋଲିଛି ସେଠାରେ କୌଣସି ନାଳ କିମ୍ବା ପୋଖରୀ କିମ୍ବା ଅନ୍ୟ କୌଣସି ଜଳାଶୟ ନାହିଁ ।

କିନ୍ତୁ ସୁଡ଼ଙ୍ଗ ଭିତରୁ ପାଣି ଝର ଝର ବୋହୁଥିବାର ଦେଖିବାକୁ ମିଳିଛି । କିନ୍ତୁ ତାହା କେଉଁ ପାଣି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆଜ୍ଞା ହଁ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଭିତରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଅନ୍ୟତମ । ଐତିହାସିକ କଥା ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ଏହି ପୁଷ୍କରିଣୀଟ ଖନନ ହୋଇଥିଲା ବୋଲି କୁହାଯାଏ ।

ଲୋକକଥା ଅନୁଯାୟୀ ଏହି ପୋଖରୀ ଖୋଲିବା ସମୟରେ ଲୋକେ ପଥର ବୋହି ବୋହି କୁରୁମ ପାଲଟି ଯାଇଥିଲେ । ଏହି କୁରୁମ ମାନେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳରେ ଏବେବି ରହୁଥିବା କୁହାଯାଉଛି । ଏବେ ଅବିସିସି ପକ୍ଷରୁ ୬୪ କୋଟି ଟଙ୍କା ବ୍ୟୟରେ ଇନ୍ଦ୍ରଦ୍ୟୁମ୍ନ ସହ ମାର୍କଣ୍ଡ , ଶ୍ୱେତଗଙ୍ଗା , ତୀର୍ଥ ପୁଷ୍କରିଣୀ ସମେତ ପବିତ୍ର ନରେନ୍ଦ୍ର ପୁଷ୍କରିଣୀର ବିକାଶ ଏବଂ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ।

ପୁଷ୍କରିଣୀର ଜଳକୁ ଉଛୁଳା କରି ବିଶୋଧନ କରାଯାଇ ଭଲ ଜଳ ପ୍ରବେଶ କରାଯାଉଛି । ଏଥିପାଇଁ ବଡ଼ ବଡ଼ ପାଣି ପମ୍ପ ବ୍ୟବହାର କରାଯାଉଛି । ପାଣି ଶୁଖିବା କାରଣରୁ ଜଳ ଭିତରେ ବୁଡ଼ି ରହିଥିବା ପାହାଚ ଦୃଶ୍ୟମାନ ହୋଇଛି । ଆଉ ଠିକ ଏହି ସମୟରେ ଲୋକେ ଏଭଳି ଏକ ସୁଡ଼ଙ୍ଗ ରାସ୍ତା ଦେଖିବାକୁ ପାଇଛନ୍ତି । ଭିତରକୁ ବହୁ ବାଟ ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗ ଲମ୍ବୀ ଥିବା କହିଛନ୍ତି ଲୋକେ ।

ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ସୁଡ଼ଙ୍ଗଟି ପ୍ରାୟ ୨୦ ରୁ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି । ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀରେ ଜଳ ନିଷ୍କାସନ ପାଇଁ ବହୁ ପୂର୍ବରୁ ଏଭଳି ନାଳ ମୂଷା ନଈକୁ ସଂଯୋଗ କରାଯାଇଥିବା ଗବେଷକ ହରିଶଙ୍କର ମିଶ୍ର କହିଛନ୍ତି । କିନ୍ତୁ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *