ଦିନେ ତମ୍ବୁ ତଳେ ରହି ପେଟ ପୋଷୁଥିଲେ ଆଉ ଏବେ ୫ କୋଟି ଟଙ୍କାର ଫ୍ଲାଟ ତଳେ ରହୁଛନ୍ତି ଏହି ବ୍ୟକ୍ତି ।

ଭାରତରେ କ୍ରିକେଟର ମହତ୍ତ୍ୱ ଖୁବ ଅଧିକ ଅଟେ । ଆଉ ଏହି କ୍ଷେତ୍ରରେ କିଏ କେତେବେଳେ ଯେ ଆଗକୁ ବଢ଼ିଯିବ ତାହା କେବଳ ଭାଗ୍ୟ ଉପରେ ନିର୍ଭର କରେ । ତେବେ ତାହା ସମ୍ପୂର୍ଣ୍ଣ ଭାବେ ଭାଗ୍ୟ ଉପରେ ନିର୍ଭରଶୀଳ ନୁହେଁ । ଜଣେ ପିଲା ଯିଏକି ମୁମ୍ବାଇର ଆଜାଦ ଅଞ୍ଚଳରେ ତମ୍ବୁ ତଳେ ନିଜର ଜୀବନ ବିତାଉଥିଲେ ଏବଂ ଗୁପଚୁପ ବିକ୍ରି କରିପେଟ ପୋଷୁଥିଲେ , ସେ ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରାରେ କୋଟି କୋଟି ଟଙ୍କାର ଏକ ଫ୍ଲାଟ କିଣିଛନ୍ତି । ତେବେ ଆମେ କହୁଛୁ ଭାରତୀୟ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କ ବିଷୟରେ । ଯଶସ୍ୱୀ ଜୟସ୍ୱାଲ ବର୍ତ୍ତମାନ ଭାରତୀୟ କ୍ରିକେଟରେ ଜଣେ ଯୁବ ସେନସେସନ ପାଲଟି ଯାଇଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଦ୍ଵିଶତକ ଅର୍ଜନ କରି ଭାରତୀୟ ଅନ୍ତର୍ଜାତୀୟ ଦଳରେ ନିଜର ସ୍ଥାନ ପକ୍କା କରି ନେଇଛନ୍ତି ଏବଂ ଅପନର ଭାବରେ ମଧ୍ୟ ସେ ନିଜର ସ୍ଥାନ ପକ୍କା କରିଛନ୍ତି । କହିରଖିବୁ ଯେ ଜୟସ୍ୱାଲଙ୍କ ଜନ୍ମ ଉତ୍ତରପ୍ରଦେଶରେ ।

କିନ୍ତୁ ତାଙ୍କର କ୍ରିକେଟର ହେବାର ସ୍ବପ୍ନକୁ ପୂରଣ କରିବା ପାଇଁ ତାଙ୍କ ବାପା ନିଜ ପରିବାର ସହିତ ମୁମ୍ବାଇରେ ଆସି ରହିଲେ । ମୁମ୍ବାଇର ଆଜାଦ ମୈଦାନରେ ରହିବା ବେଳେ ଘର ଚାଲିବାକୁ ଟଙ୍କା ଅଭାବ ହେବାରୁ ତାଙ୍କ ବାପା ଗୁପଚୁପ ବିକ୍ରି କରୁଥିଲେ । ସେଥିରେ ଯଶସ୍ୱୀ ମଧ୍ୟ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ ।

ସେଦିନର ସେହି ଅଭାବୀ ପିଲା ବର୍ତ୍ତମାନ କିନ୍ତୁ ନିଜର ଇନକମରେ ବାନ୍ଦ୍ରା ଭଳି ଜାଗାରେ ନିଜର ଏକ ଫ୍ଲାଟ କିଣିଛନ୍ତି ଯାହାର ମୂଲ୍ୟ ୫ କୋଟି ୪୦ ଲକ୍ଷ ଟଙ୍କା ରହିଛି । ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟ ଅନୁଯାୟୀ ସେ ମୁମ୍ବାଇର ପୂର୍ବ ବାନ୍ଦ୍ରାରେ ୧୧୦୦ ବର୍ଗଫୁଟର ଏକ ଫ୍ଲାଟ କିଣିଛନ୍ତି ଯାହା ଜାନୁଆରୀ ୭ ରେ ଅଧିକୃତ ହୋଇଛି । ଯଶସ୍ୱୀ କିଣିଥିବା ଏହି ଫ୍ଲାଟର ବର୍ଗଫୁଟ ପିଛା ମୂଲ୍ୟ ହେଉଛି ୪୮ ହଜାର ୪୯୯ ଟଙ୍କା ।

ତେବେ ତାଙ୍କ ଫ୍ଲାଟ କିଣିବାକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଛି ଯେତେବେଳେ ସେ ଗତ ରବିବାର ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ନିଜର ଦ୍ଵିତୀୟ ଦ୍ଵିଶତକ ହାସଲ କରିବା ପରେ ଆଇସିସି ରେଙ୍କିଙ୍ଗର ୧୫ ତମ ସ୍ଥାନରେ ପହଞ୍ଚିଛନ୍ତି । ଯାହାକି ତାଙ୍କର ଟେଷ୍ଟ କ୍ୟାରିଅରର ସର୍ବଶ୍ରେଷ୍ଠ ରେଙ୍କିଙ୍ଗ । ପ୍ରଥମେ ଅଣ୍ଡର 19 , ଆଇପିଏଲ ଏବଂ ଏବେ ଟିମ ଇଣ୍ଡିଆର ଅପନର ପାଲଟି ଯାଇଛନ୍ତି ଯଶସ୍ୱୀ ।

Leave a Reply

Your email address will not be published. Required fields are marked *