ବେଦୀରେ ନବସି ଗାଡ଼ିରେ ବନ୍ଧା ହେଲେ ବର ଏବଂ କନିଆଁ

ବିବାହ ପାଇଁ ବର କନିଆଁ ଉଭୟେ ପ୍ରସ୍ତୁତ ଥିଲେ । ଘରେବି ସବୁକିଛି ପ୍ରସ୍ତୁତ ଥିଲା । ଘର ସାଜସଜ୍ଜା ଏମିତିକି ବେଦୀ ମଧ୍ୟ ସଜା ସରିଥିଲା । ଡିଜେ ବଜାଇ ଆସୁଥିବା ବରକୁ ପାଛୋଟି ଆଣିଥିଲେ କନିଆଁ ଘର ଲୋକ । ବାହାରେ ଲେଖା ଥିଲା ମାନସ ସହ ପ୍ରତିମାର ବିବାହ । କିନ୍ତୁ ବିବାହ ବେଦୀରେ ନବସି ବର କନିଆଁ ଗାଡ଼ିରେ ବନ୍ଧା ହୋଇଛନ୍ତି । ସେମାନଙ୍କୁ ଗାଁ ଲୋକେ ବାନ୍ଧି ରଖିଛନ୍ତି ଏବଂ ବିବାହ କରାଇବାକୁ ଦେଉ ନାହାଁନ୍ତି ।

ବରଯାତ୍ରୀ ପ୍ରସେସନ କରି ଆସିବା ପରେ ଏଭଳି ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ! ବରଯାତ୍ରୀ ମାନେ ପ୍ରସେସନ କରି ବିବାହ ପାଇଁ ଆସିଥିଲେ । କନିଆଁ ଘର ଲୋକେ ସେମାନଙ୍କୁ ସ୍ୱାଗତ ମଧ୍ୟ କରିଥିଲେ । କିନ୍ତୁ ବରଯାତ୍ରୀ ମାନେ ମଦ ପିଇ ଗାଁ ଲୋକଙ୍କ ସହିତ ପାଟିତୁଣ୍ଡ କରିଥିଲେ ।

ଏହାପରେ କନିଆଁ ଘର ଗାଡ଼ିରେ ବରଯାତ୍ରୀ ମାନେ ନିଆଁ ଲଗାଇ ଦେଇଥିଲେ । ସେହି ନିଆଁରେ ଅଟୋଟି ଜଳି ଉଠିଥିଲା । ଯେଉଁ କାରଣରୁ ଅଧାରୁ ବିବାହ ବନ୍ଦ ହୋଇ ଯାଇଛି । ସୂଚନା ଅନୁଯାୟୀ ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡେରା ପଞ୍ଚାୟତ ଏକଥା ଗାଁରେ ଘଟି ଯାଇଛି । ବରଯାତ୍ରୀ ମାନେ ବରଘର ଲୋକଙ୍କ ସହିତ ଡିଜେ ବଜାଇ ରୋଷଣୀ କରି ଆସୁଥିଲେ ।

ପହଞ୍ଚିବା ପରେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଆଉ ଝଗଡ଼ା ଏତେ ମାତ୍ରାରେ ଉଗ୍ର ରୂପ ନେଇଥିଲା ଯେ ବରଯାତ୍ରୀ ଏଭଳି କାଣ୍ଡ ଘଟାଇଥିଲେ । ବରଯାତ୍ରୀ ମାନେ କନିଆଁ ଘର ଗାଡ଼ିକୁ ସମ୍ପୂର୍ଣ୍ଣ ଜାଳି ଦେଇଛନ୍ତି । ଆଉ ଯାହା ଦେଖିବା ପରେ ଗାଁ ଲୋକେ ବିବାହ କରାଇ ଦେଇ ନାହାଁନ୍ତି ।

ଗାଡ଼ି ଭିତରେ ଗ୍ରାମବାସୀ ମାନେ ବର କନିଆଁକୁ ଅଟକ ରଖିଥିବା ଜଣା ପଡ଼ିଛି । ସୂଚନା ମୁତାବକ ରାଜନଗର ଥାନା ଅନ୍ତର୍ଗତ ଜାତି ବାଉଁଶକୁଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳ ଡେରା ପଞ୍ଚାୟତ ଅନ୍ତର୍ଗତ କଇଁଥା ଗ୍ରାମର ପ୍ରଫୁଲ୍ଲ ପଢ଼ିଆରୀଙ୍କ ଝିଅ ପ୍ରତିଭା ପଢ଼ିଆରୀଙ୍କୁ କିଛି ସମୟ ପରେ ବିବାହ କରିଥାନ୍ତେ । କିନ୍ତୁ ତାହା ପୂର୍ବରୁ ଉତ୍ତେଜନା ତୀବ୍ର ରୂପ ନେଇଥିଲା । ଏହାପରେ ଗ୍ରାମବାସୀ ମାନେ ବରକୁ ଅଟକ ରଖି କ୍ଷତିପୂରଣ ନଦେଲେ ବର କନିଆଁଙ୍କୁ ଛାଡ଼ିବେ ନାହିଁ ବୋଲି ଜିଦ ଧରି ବସିଛନ୍ତି । ଆଉ ଘଟଣାସ୍ଥଳରେ ରାଜନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *