ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଆସନରୁ ଏମାନେ ହୋଇପାରନ୍ତି ବିଜେଡି ପ୍ରାର୍ଥୀ ।

ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡ଼ାରୁ କିଏ ହେବେ ବିଜେଡ଼ି ପ୍ରାର୍ଥୀ? ଲୋକସଭା ଓ ବିଧାନସଭା ଆସନ ଉପରେ ରହିଛି ନଜର । ଏମାନଙ୍କୁ ମିଳିପାରେ ବିଜେଡ଼ି ଟିକେଟ୍ । ରାଜ୍ୟରେ ବିଜେପି ଓ ବିଜେଡ଼ି ଏକାଠି ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଯିବା ପରେ ଏବେ ଆରମ୍ଭ ହୋଇ ଯାଇଛି ଟିକେଟ କସରତ୍ । ଉଭୟ ଦଳର ଶିବିରରେ ଏବେ ଲାଗିଛି ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ । କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯିବ ତାକୁ ନେଇ ଚାଲିଛି ମାନସ ମନ୍ଥନ । ତେବେ ଏସବୁ ଭିତରେ ଶାସକ ଦଳ ବିଜେଡ଼ିରେ ଟିକେଟ ଆଶାୟୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି ।

ତେବେ ରାଜ୍ୟର ପୁରୀ ଗଞ୍ଜାମ ଓ କେନ୍ଦ୍ରାପଡା ଭଳି ଗୁରୁତ୍ଵପୂର୍ଣ୍ଣ ଜିଲ୍ଲା ଉପରେ ବିଜୁ ଜନତା ଦଳର ସ୍ଵତନ୍ତ୍ର ନଜର ରହିଥିବା ଚର୍ଚ୍ଚା ହେଉଛି । ତେଣୁ ଏହି ୩ଟି ଜିଲ୍ଲାର ଲୋକସଭା ଓ ବିଧାନସଭା ଆସନରେ ଦଳ କେଉଁ ମାନଙ୍କୁ ପ୍ରାର୍ଥୀ କରିବ ତାହା କୁଆଡ଼େ ସ୍ଥିର ହୋଇ ସାରିଥିବା କୁହାଯାଉଛି । ତେଣୁ ଆସନ୍ତୁ ନଜର ପକାଇ ନେବା ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜେଡ଼ିର ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ । ପୁରୀ ଜିଲ୍ଲାର ଗୋଟାଏ ଲୋକସଭା ଆସନରୁ ଅରୂପ ପଟ୍ଟନାୟକ ବିଜେଡ଼ିର ପ୍ରାର୍ଥୀ ହୋଇ ପାରନ୍ତି ବୋଲି କୁହାଯାଉଛି ।

ପୂର୍ବତନ ପୋଲିସ୍ ପ୍ରଶାସକ ଅରୂପ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ବିଜେଡ଼ି ଏଥର ଅରୂପ ପଟ୍ଟନାୟକଙ୍କୁ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି । ଏହା ସହିତ ପୁରୀ ସାଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ନୟାଗଡ଼ ବିଧାନସଭା ଆସନରୁ ଅରୁଣ ସାହୁ । ରଣପୁରରୁ ସତ୍ୟ ନାରାୟଣ ପ୍ରଧାନ । ଚିଲିକାରୁ ପ୍ରଶନ୍ନ ପାଟଶାଣି । ବ୍ରହ୍ମଗିରିରୁ ଉମା ସାମନ୍ତରାୟ । ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା । ପିପିଲିରୁ ରୁଦ୍ର ମହାରଥୀ।

ଏବଂ ପୁରୀ ବିଧାନସଭା ଆସନରୁ ସୁନୀଲ ମହାନ୍ତିଙ୍କୁ ବିଜେଡ଼ି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ଗଞ୍ଜାମ ଜିଲ୍ଲାର ୨ଟି ଲୋକସଭା ଆସନ, ବ୍ରହ୍ମପୁର ଏବଂ ଆସିକାରୁ ମଧ୍ୟ ବିଜେଡ଼ି ପ୍ରାର୍ଥୀ ସ୍ଥିର ହୋଇ ସାରିଥିବା କୁହା ଯାଉଛି । ବ୍ରହ୍ମପୁର ଲୋକସଭା ଆସନରୁ ଚନ୍ଦ୍ରଶେଖର ସାହୁ ଏବଂ ଆସିକା ଲୋକସଭା ଆସନରୁ ଲତିକା ପ୍ରଧାନଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *