ଶବ ପକେଟରେ ବାଜିଲା ଫୋନ … ନିଜ ପୁଅକୁ ହରାଇ ଛାତି ପିଟି ଚିତ୍କାର କରୁଛି ବାପା ।

ଗତକାଲି ଶୁକ୍ରବାର ଦିନଟି ସମଗ୍ର ଦେଶ ପାଇଁ ଏକ କାଳ ଦିନ ଥିଲା । ଲୋକେ ଦୂର ସ୍ଥାନକୁ ସେତେବେଳେ ଟ୍ରେନରେ ଯାତ୍ରା କରନ୍ତି ଯେତେବେଳେ କେହି ନିଜ ପରିବାର ଲୋକଙ୍କ ପାଖକୁ ଯାଉଥାଏ କିମ୍ବା କେହି ବୁଲିବା ପାଇଁ ପରିବାର ସହିତ ବାହାରି ଥାନ୍ତି । କିନ୍ତୁ କିଏ ଜାଣିଥିଲା ଯେ ସେହି ହସ ଖୁସି ମଉଜ ଟ୍ରେନରେ ହିଁ ସୀମିତ ରହିଯିବ । ହଁ , ଗତକାଲି ସନ୍ଧ୍ୟା ପାଖାପାଖି ୭ ସମୟରେ ବାଲେଶ୍ୱରର ବାହାନଗାରେ ଘଟି ଯାଇଥିବା ରେଳ ଦୁର୍ଘଟଣା କାହାରି ମନରୁ ଲିଭିବ ନାହିଁ । କିଏ କାହିଁ କେଉଁ ସ୍ୱପ୍ନ ନେଇ ଖୁସିରେ ଯାତ୍ରା କରୁଥିଲେ ଟ୍ରେନରେ । କିନ୍ତୁ ସେହି ଯାତ୍ରା ସିଧା ଯମପୁରକୁ ଥିଲା ।

କାନ୍ଦ ବୋବାଳିରେ ପୁରା ଅଞ୍ଚଳ ଯେମିତି ଫାଟି ପଡ଼ୁଛି । ଯେଉଁଠି ଦେଖ ଶବ । ଆଉ କେଉଁଠି ଦୁଇ ଭାଇ ଭିତରୁ ଜଣେ ଭାଇ ଜୀବନ ହାରି ଦେଇଛି । ବାପା ସାମ୍ନାରେ ପୁଅ ମୃତ୍ୟୁବରଣ କରିଛି । ମା’ ସାମ୍ନାରେ ଝିଅର ମୃତ୍ୟୁ ସ୍ୱାମୀର ମୃତ୍ୟୁ । ଏମିତି କେତେ କେତେ ଜୀବନ ଯାଇଛି । କିଏ ଏସବୁ ଦେଖି ଚେତାଶୂନ୍ୟ ହୋଇ ଯାଉଛି ତ କିଏ ଛାତି ପିଟି ପିଟି ଚିତ୍କାର କରି କାନ୍ଦୁଛି । ଏମିତି ଅନେକ ଚେହେରା ଦେଖିବେ ଯାହା ଦେଖିଲେ ଦୁଃଖରେ ଆପଣଙ୍କ ଛାତି ଫାଟିଯିବ । ସବୁଠି ମୃତ ଶବ ବିଛାଡ଼ି ହୋଇ ପଡ଼ିଛି । ଦୂର ଦୂରାନ୍ତରରୁ ପରିବାର ଲୋକେ ନିଜ ଲୋକଙ୍କୁ ଜୀବିତ କିମ୍ବା ମୃତ ଅବସ୍ଥାରେ ନେବା ପାଇଁ ଆସୁଛନ୍ତି । କିନ୍ତୁ ଆହୁରି ଅନେକ ପରିବାର ଅଛି ଯାହାଙ୍କୁ ଏବେ ସୁଦ୍ଧା ଜଣା ନାହିଁ ଯେ ତାଙ୍କ ପୁଅ ଆଉ ନାହିଁ ।

ମୃତ ଶବର ପକେଟରୁ ଫୋନ ରିଙ୍ଗ ହେଉଥିବା ଶୁଣି ଉଦ୍ଧାର କରୁଥିବା ଲୋକେ ଫୋନ ରିସିଭ କରିଥିଲେ । କିନ୍ତୁ ପରିବାର ଲୋକଙ୍କୁ ଶୁଣିବାକୁ ପଡ଼ିଛି ଯେ ସେ ଯାହାକୁ ଖୋଜୁଛନ୍ତି ସେ ଆଉ ନାହାଁନ୍ତି । ରେଳ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲି ଯାଇଛି । ଅପର ପଟୁ ଲୋକ ପଚାରୁଛନ୍ତି ଯେ କେଉଁ ସ୍ଥାନରେ ଦୁର୍ଘଟଣା ହୋଇଛି । ଆଉ ଉଦ୍ଧାର କର୍ମୀ ମଧ୍ୟ ତାଙ୍କୁ ଠିକଣା କହିବା ସହିତ ଶବକୁ ଆସି ନେଇ ଯିବାକୁ କହୁଛନ୍ତି । ଶହ ଶହ ଲୋକଙ୍କୁ ଚିକିତ୍ସା କରାଯାଉଛି । ଅବସ୍ଥା ଗୁରୁତର ହେଲେ ଅନ୍ୟତ୍ର ଚିକିତ୍ସାଳୟକୁ ପଠା ଯାଉଛି । ସବୁଠି ରକ୍ତ ଆଉ ନିଜକୁ ହରାଇ କାନ୍ଦୁଥିବା ନିରୀହ ମୁହଁ ।

ପୁଣି ଜଣେ ବାପା ନିଜ ପୁଅକୁ ହରାଇ ଏଭଳି ଭାବରେ ଛାତି ପିଟି କାନ୍ଦୁଛି ଯେ ତାହା ଜଣେ ସାଧାରଣ ମନୁଷ୍ୟ ଧୌର୍ଯ୍ୟ ଧରି କେବେ ଦେଖି ପାରିବ ନାହିଁ । ଖୁବ ଚିତ୍କାର କରି କହୁଛି ପରିବାର ଲୋକଙ୍କୁ ନିଜ ପୁଅ କଥା କେମିତି କହିବ । ଆଉ ବାରମ୍ବାର କହିବାରେ ଲାଗିଛି ତା ପୁଅକୁ ଫେରାଇ ଦିଆଯାଉ । ମନ ମାନିବାକୁ ବି ନାରାଜ ଯେ ପୁଅ ଆଉ କେବେ ଫେରିବେନି । ତାହାର କିଛି ଭିଡ଼ିଓ ମଧ୍ୟ ବର୍ତ୍ତମାନ ନ୍ୟୁଜ ଏବଂ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *