ମ୍ୟାଟ୍ରିକ ପରୀକ୍ଷାରେ ବାଜି ମାରିଲେ ମାଆ , ପୁଅ ଠାରୁ ରଖିଲେ ଅଧିକ ମାର୍କ

ଏପରି କୁହାଯାଏ ଯେ ଦୃଢ଼ ମନୋବଳ ଥିଲେ କିଛିବି କାର୍ଯ୍ୟ ଅସମ୍ଭବ ନୁହେଁ । ସେହିଭଳି ବୟସ ମଧ୍ୟ ସଫଳତା ଦିଗରେ ପ୍ରତିବନ୍ଧକ ସାଜି ପାରେନା । ବୟସ ମାତ୍ର କେଇଟା ନମ୍ବର ହୋଇଥାଏ । ଆଉ ଆଜି ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ସୁଜାତା । ପାଠ ଛାଡ଼ିବାର ଦୀର୍ଘ ୩୦ ବର୍ଷ ପରେବି ସୁଜାତା ପୁଣିଥରେ ପାଠ ପଢ଼ା ପ୍ରତି ମନ ବଳାଇଥିଲେ ।

ସୁଜାତା ବିବାହ କରି ଆସିବା ପରେ ମ୍ୟାଟ୍ରିକ ଫେଲ ହୋଇଥିବାରୁ ହୁଏତ ତାଙ୍କୁ ଅନେକ କିଛି ଶୁଣିବାକୁ ପଡ଼ିଥିଲା । ଯାହାକୁ ସେତେବେଳେ ସେ ସହ୍ୟ କରି ପାରୁନଥିଲେ ଏବଂ ପରେ ମନକୁ ଦମ୍ଭ କରି ପୁଣିଥରେ ପାଠ ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଜଣେ ଗୃହିଣୀ ହିସାବରେ ଘରର କାମ ଏବଂ ଅନ୍ୟାନ୍ୟ କର୍ତ୍ତବ୍ୟ ମଧ୍ୟ ରହିଥାଏ ।

କିନ୍ତୁ ସବୁ କାମକୁ ଶେଷ କରି ପୁଣିଥରେ ମ୍ୟାଟ୍ରିକ ପରୀକ୍ଷା ପାଇଁ ପାଠ ପଢ଼ୁଥିଲେ ସୁଜାତା । ସୁଜାତା ପରୀକ୍ଷା ଦେଇ ମ୍ୟାଟ୍ରିକ ପାସ ମଧ୍ୟ କରିଛନ୍ତି । ତେବେ ଆଉ ଏକ କଥା ଯେ ସୁଜାତାଙ୍କ ସହିତ ତାଙ୍କ ପୁଅ ମଧ୍ୟ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ । ଆଉ ଉଭୟେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଯାହାକି ପୁରା ପରିବାର ପାଇଁ ବେଶ ଖୁସିର କଥା ଅଟେ ।

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ସ୍ଥିତ ଲୋହରାସାହିର ୪୭ ବର୍ଷୀୟ ସୁଜାତା ନାୟକ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ ଏବଂ ତାଙ୍କ ସହିତ ତାଙ୍କର ୧୬ ବର୍ଷର ପୁଅ ଆୟୁଷ ନାୟକ ମଧ୍ୟ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ ।

ସୁଜାତା ନାୟକ ଦାରିଙ୍ଗବାଡ଼ି ଲାଲବାହାଦୁର ବିଦ୍ୟାପୀଠରେ ଅଧ୍ୟୟନ କରୁଥିବା ବେଳେ ପୁଅ ଆୟୁଷ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଅଧ୍ୟୟନ କରୁଥିଲେ । ମ୍ୟାଟ୍ରିକ ପରୀକ୍ଷା ଦେଇ ମା’ ସୁଜାତା ନାୟକ ୬୦୦ ରୁ ୩୪୬ ନମ୍ବର ରଖି B2 ଗ୍ରେଡ଼ ପାଇଥିବା ବେଳେ ପୁଅ ଆୟୁଷ ନାୟକ ୨୫୮ ରଖି ଗ୍ରେଡ଼ B ପାଇଛନ୍ତି । ମା’ ଅଧିକ ମାର୍କ ରଖିଥିବାରୁ ପୁଅ ଆୟୁଷ ମଧ୍ୟ ବେଶ ଖୁସି ଥିବା କହିଛନ୍ତି । ସୁଜାତା ନାୟକ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ରାଜ୍ୟଭୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ ଏବଂ ସେ ସେଥିରେ ପାସ ମଧ୍ୟ ହୋଇଛନ୍ତି ।

ସୁଜାତାଙ୍କ କହିବା କଥା ଯେ ତାଙ୍କର ଇଚ୍ଛା ଶକ୍ତି ଏବଂ ତାଙ୍କ ପୁରା ପରିବାର ଅର୍ଥାତ ସ୍ୱାମୀ ଏବଂ ଝିଅ ପୁଅଙ୍କ ସପୋର୍ଟ କାରଣରୁ ସେ ଆଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଆଉ ତାଙ୍କୁ ଭବିଷ୍ୟତରେ କେବେ କାହାକୁ ନିଜର ଯୋଗ୍ୟତା କହିବା ବେଳେ ମ୍ୟାଟ୍ରିକ ଫେଲ କହିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *