କାଳ ସାଜିଛି ବାଉଁଶ ପୋଲ , କେତେବେଳେ ଘଟିଯିବ ବି-ପଦ

ପୁରା ଗାଆଁର ସାହା ଭରସା ସାଜିଛି ବାଉଁଶ ପୋଲ । ତା ଉପରେ ଯାଉଛନ୍ତି ଶହ ଶହ ଲୋକ । ପ୍ରତିଦିନ ସକାଳ ଠାରୁ ରାତି ପର୍ଯ୍ୟନ୍ତ ଲୋକ ମାନେ ନିଜର ନୀତି ଦିନିଆ କାମରେ ବ୍ୟସ୍ତ ହୋଇ ଯାଉଛନ୍ତି ଆଉ ନିଜର ଅତ୍ୟାବଶ୍ୟକ ଜିନିଷ ପୁରଣ କରିବା ପାଇଁ ସେହି ବାଉଁଶ ପୋଲକୁ ଅତିକ୍ରମ କରି ଆରପାରିକୁ ଯାଉଛନ୍ତି । ଆଉ ଏହି ବାଉଁଶ ପୋଲ ବ୍ୟତୀତ ଅନ୍ୟ କୌଣସି ଉପାୟ ମଧ୍ୟ ନାହିଁ । ଯାହା ହେଲେ ବି ଛୋଟ ଛୋଟ କାମ ପଡ଼ିଲେ ଲୋକେ ଏହାକୁ ପାର କରି ଚାଲି ଯାଉଛନ୍ତି । ଆଉ ଏହି ବାଉଁଶ ପୋଲ ତଳେ ଅକାତ କାତ ପାଣିର ସୁଅ ଛୁଟିଛି ।

ଯଦି କିଏ ବି ତଳେ ଗଳି ପଡ଼ିଲା , ତେବେ ତାକୁ ପାଇବା ଆଉ ତାର ବଞ୍ଚିବାର ଆଶା ବହୁତ କମ୍ । ତେବେ ହଁ ଆଜ୍ଞା ଏପରି ଏକ ଭୟଙ୍କର ପୋଲ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ସୂଚନା ଅନୁଯାୟୀ , ଆମେ କହୁଛୁ ସାରସକଣା ବ୍ଲକ ମୁରୁଣିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କଦହ ଗ୍ରାମର କଥା । କହିରଖୁଛୁ ଯେ , ଏଠାରେ ପ୍ରାୟତଃ ୩୦ ରୁ ୪୦ ପରିବାର ବସବାସ କରୁଥିବା ବେଳେ ଏମାନଙ୍କୁ ଭାଗ କରି ଦେଇଛି ଏହି ବାଉଁଶ ପୋଲ । ପିଲା ମାନେ ପାଠ ପଢିବା ପାଇଁ ଏହି ପୋଲ ପାର କରି ଯାଉଛନ୍ତି ।

ଛୋଟ ଛୋଟ ପିଲା ମାନେ ନିଜର ଜୀବନକୁ ବାଜି ଲଗାଇ ଏହି ପୋଲ ଅତିକ୍ରମ କରି ଯାଉଛନ୍ତି । ଅନ୍ୟ ପକ୍ଷରେ ଗ୍ରାମବାସୀ ମାନେ ନିଜର ଅସୁବିଧା ଅନେକ ଥର ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ କେହି କିଛି ପଦକ୍ଷେପ ମଧ୍ୟ ନେଉ ନାହାନ୍ତି । ନିର୍ବାଚନ ବେଳେ ଖାଲି ପ୍ରତିଶ୍ରୁତି ଦେଇ ସେମାନେ ଘରକୁ ଫେରି ଯାଉଛନ୍ତି ଆଉ ତାପରେ କିଛି କାମ ମଧ୍ୟ କରୁ ନାହାଁନ୍ତି । ଏପରିକି ଏହି ଗ୍ରାମରେ ଗୋଟିଏ ଅଙ୍ଗନବାଡ଼ି ମଧ୍ୟ ନାହିଁ । ଯାହା ଫଳରେ ପିଲା ମାନେ ଅନେକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଅନ୍ୟ ପକ୍ଷରେ ବର୍ଷା ଦିନ କଥା କହିଲେ ନ ସରେ ।

ବର୍ଷା ଦିନେ ପାଣିର ସ୍ତର ବଢ଼ି ଯାଉଛି । ଯାହା ଫଳରେ ଗାଆଁରୁ ଆଉ ବାହାରକୁ ବାହାରିବା ସମ୍ଭବ ହୋଇ ପାରୁ ନାହିଁ । ପିଲା ମାନେ ସେହି ସମୟରେ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଆଉ ବର୍ଷା ଛାଡ଼ିବା ପରେ ଏବଂ ଜଳ ସ୍ତର କମିବା ପରେ ଯାଇ ଗ୍ରାମବାସୀ ମାନେ ବାଉଁଶ ପୋଲକୁ ମରାମତି କରୁଛନ୍ତି । ତେବେ ଏପରି ଅସୁବିଧା ଆହୁରି କେତେ ଦିନ ରହିବ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ପରେ ମୁହଁ ବୁଲେଇ ଚାଲି ଯାଉଥିବା ନେତା ମାନଙ୍କୁ ସେମାନେ ନିନ୍ଦା କରିଛନ୍ତି । ଅନ୍ୟ ପକ୍ଷରେ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସେମାନେ ଅତ୍ୟନ୍ତ ଚିନ୍ତାରେ ଅଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *