ପହିଲି ରଜରେ ୮ ବର୍ଷର ପୁଅକୁ ଟାଣି ନେଲା ବଉଳା କୁମ୍ଭୀର

ଆଜି ପହିଲି ରଜ । ଗାଆଁ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇ ପଡ଼ିଛି । ସମସ୍ତେ ଅନେକ ଖୁସି ଅଛନ୍ତି । ସଜବାଜ ହୋଇ , ଅଳତା ଲଗାଇ ପିଠାପଣା ଖାଇବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ଯାଇଛନ୍ତି ।ସମସ୍ତେ ଗୋଟିଏ ବର୍ଷ ଧରି ଯେଉଁ ଦିନକୁ ଅପେକ୍ଷା କରି ବସିଥିଲେ , ଶେଷରେ ସେହି ଦିନ ଆସି ପହଞ୍ଚି ଗଲା ଆଉ ସମସ୍ତେ ବେଶ୍ ଧୁମଧାମରେ ଏହାକୁ ପାଳନ କରିବା ପାଇଁ ଯୋଜନା ମଧ୍ୟ କରି ଦେଇଛନ୍ତି । କିନ୍ତୁ ଏହି ରଜର ଖୁସି କାହା ଜୀବନର ଆଜି ଦୁଃଖ ବି ଆଣି ଦେଇଛି ଆଉ କାହାର ପରିବାରକୁ କରି ଦେଇଛି ସନ୍ତାନ ଶୁନ୍ୟ ।

ତେବେ ଆଜି ଭଳି ପବିତ୍ର ଦିନରେ ଜଣେ ମା କୋଳରୁ ତାର ସନ୍ତାନ ଚିରଦିନ ପାଇଁ ଚାଲି ଯାଇଛି ଆଉ ମାଆଟିଏ ଛାତି ପିଟି ପିଟି ତା ପୁଅକୁ ଫେରାଇ ଆଣିବା ପାଇଁ କହୁଛି । କିନ୍ତୁ ତାକୁ କିଏ ବା ବୁଝାଇବ , ତା ପୁଅ ଆଉ ତା କୋଳକୁ କେବେ ବି ଫେରିବ ନାହିଁ । ଆଉ ଗୋଟିଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ , ମାଆ ଆଖିରେ ତାର ଗେହ୍ଲା ପୁଅର ଜୀବନ ଚାଲିଗଲା । ଆଉ ମାଆ ବିକଳ ହୋଇ ଚିତ୍କାର କରିବା ପରେ ମଧ୍ୟ ତା ପୁଅକୁ ବଞ୍ଚାଇ ପାରିଲା ନାହିଁ । କାହିଁକି ନା ପୁଅକୁ ପାଣି ଭିତରକୁ ଟାଣି ନେଇଥିଲା ବଉଳା କୁମ୍ଭୀର । ଆଉ ଏପରି ଏକ ପବିତ୍ର ଦିନରେ ପୁରା ଗାଆଁରେ ଖେଳି ଯାଇଛି ଦୁଃଖର ଲହର ।

କାହାର ପାଟିକୁ ଦାନା ଯାଉ ନାହିଁ କି କେହି ରଜ ମନାଇବାକୁ ମଧ୍ୟ ମନ କରୁ ନାହାଁନ୍ତି । ସୂଚନା ଅନୁଯାୟୀ , ଏପରି ଏକ ଦୁଃଖଦ ଘଟଣା ଘଟି ଯାଇଛି , କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ନିମପୁର ଗାଆଁରେ । ନିମପୁର ଗାଆଁର ଆଶୁତୋଷ ଆଚାର୍ଯ୍ୟ ନାମକ ଜଣେ ୮ ବର୍ଷର ପିଲା ନିଜ ମାଆ ସହିତ ଗାଧୋଇବା ପାଇଁ ଆଜି ସକାଳେ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ତେବେ ନଦୀରେ ଗାଧୋଇବା ସମୟରେ ହଠାତ୍ ବଉଳା କୁମ୍ଭୀର ଆସି ମାଆକୁ ପାଣି ଭିତରକୁ ଟାଣି ନେଉଥିଲା କିନ୍ତୁ ମାଆ ଜଣକ ଯେମିତି ସେମିତି ହେଉ କୁମ୍ଭୀର ମୁହଁରୁ ରକ୍ଷା ପାଇ ଯାଇଥିଲେ ଆଉ ଏହାପରେ କୁମ୍ଭୀର ମାଆକୁ ଛାଡି ପୁଅକୁ ପାଣି ଭିତରକୁ ଟାଣି ନେଇ ପଳାଇ ଯାଇଥିଲା ।

ଆଉ କ୍ଷଣିକ ଭିତରେ ସବୁକିଛି ଶେଷ ହୋଇ ଯାଇଥିଲା । ମାଆ ଜଣକ ଚିତ୍କାର କରି କରି ଗାଆଁ ଲୋକଙ୍କୁ ଡାକିଲା ବେଳକୁ କୁମ୍ଭୀର ପାଣି ଭିତରକୁ ଆଶୁତୋଷଙ୍କୁ ନେଇ ଚାଲି ଯାଇଥିଲା । ତେବେ ଥରେ ଚିନ୍ତା କରି ଦେଖନ୍ତୁ ତ ଜଣେ ମାଆ ନିଜ ଆଖି ଆଗରେ ନିଜ ପିଲାର ମୃତ୍ୟୁ ଦେଖିଲା , ସେ କେମିତି ବା ସହିବ । ତେବେ ବର୍ତ୍ତମାନ ସମୟରେ ଗାଆଁ ଲୋକ ମାନେ ଅଗ୍ନିଶମ ବିଭାଗକୁ ଡାକିଥିଲେ ଆଉ ସେମାନେ ଆସି ପାଣି ଭିତରେ ଆଶୁତୋଷଙ୍କୁ ଖୋଜାଖୋଜି କରୁଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି । ସେପଟେ ଆଶୁତୋଷଙ୍କ ମାଆ ମୁଣ୍ଡ ବାଡେଇ ବାଡେଇ କାନ୍ଦିବାରେ ଲାଗିଛନ୍ତି ଆଉ କହୁଛନ୍ତି ମୋ ଧନକୁ କେହି ଫେରାଇ ଦିଅ ।

Leave a Reply

Your email address will not be published. Required fields are marked *