ପ୍ରେମ ବିବାହ କରିଥିବା ମହିଳାଙ୍କୁ ଯେଉଁଭଳି ଭାବରେ ଦୀର୍ଘ ବର୍ଷ ଧରି ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଛି ତାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଭଳି କାଣ୍ଡ ଘଟାଇଛି ମହିଳାଙ୍କର ନିଜ ସ୍ୱାମୀ । ମହିଳାଙ୍କ କହିବା କଥା ଯେ ସେ ପ୍ରେମ କରି ମନ୍ଦିରରେ ସୁଶାନ୍ତ ସ୍ୱାଇଁଙ୍କୁ ବିବାହ କରିଥିଲେ । ତାଙ୍କର ବାପା ମା’ କେହି ନାହାଁନ୍ତି । ଶାଶୁ ଘରକୁ ଆସିବାର ମାତ୍ର ୧୫ ଦିନ ପରେ ତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଆରମ୍ଭ ହୋଇଗଲା । ତାଙ୍କ ସ୍ୱାମୀ , ଦେଢ଼ଶୁର ଏବଂ ଦେଢ଼ଶୁରଙ୍କ ସ୍ତ୍ରୀ ମିଶି ତାଙ୍କୁ ନିର୍ଯାତନା ଦେଉଥିଲେ । ବିବାହର ମାତ୍ର ୧୫ ଦିନ ପରେ ତାଙ୍କ ସ୍ୱାମୀଙ୍କର ତାଙ୍କ ଭାଉଜ ସହିତ ଅନୈତିକ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ।
ଜାଣିବା ପରେ ତାଙ୍କ ଉପରେ ନିର୍ଯାତନା ଆହୁରି ବଢ଼ିଗଲା । ନିଜ ପରିବାରରେ କେହିବି ନଥିବାରୁ ସେ କାହାକୁ କିଛି ନକହି ସବୁ ସହ୍ୟ କରି ସେହି ଘରେ ପଡ଼ି ରହିଥିଲେ । କିନ୍ତୁ ଯେତେବେଳେ ସେସବୁ ଅସହ୍ୟ ହେଲା ସେ ଥାନାରେ ଅଭିଯୋଗ କରିବାକୁ ଗଲେ । କିନ୍ତୁ ଥାନାରେ ତାଙ୍କ କଥା କେହିବି ଶୁଣି ନଥିଲେ । ଏମିତି ବାରମ୍ବାର ଥାନାରୁ ଫେରିବା ପରେ ସେ ମହିଳା ଥାନା ମଧ୍ୟ ଗଲେ ।
କିନ୍ତୁ ସେଠାରେ ମହିଳା ଥାନା ଅଧିକାରୀ ଗୋଟିଏ କେସ୍ ହାତକୁ ନେଇଥିବା କହି ତାଙ୍କ କେସ୍ କୁ ହାତକୁ ନେଇ ନଥିଲେ । କିନ୍ତୁ ବର୍ତ୍ତମାନ ଅନେକ ଗୁହାରୀ ପରେ ଆଡ଼କଭୋକେଟ ଠିକ କରିବା ପରେ ତାଙ୍କ କେସ୍ ନିଆଯାଇଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସୁଶାନ୍ତ ସ୍ୱାଇଁ ତାଙ୍କ ଭାଉଜଙ୍କ ସହିତ ଦୀର୍ଘ ବର୍ଷ ହେବ ରହି ଆସୁଛି ।
ଖାଲି ସେତିକି ନୁହେଁ , ଏହାର ଫାଇଦା ଉଠାଇ ତାଙ୍କ ଦେଢ଼ଶୁର ସୁକାନ୍ତ ସ୍ୱାଇଁ ତାଙ୍କୁ ଶୋଇବାକୁ ଡାକୁଛନ୍ତି । ସେ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ପଛରେ ଫୋଲ କରିବାକୁ ଲୋକ ମଧ୍ୟ ଲଗାଇଛନ୍ତି । ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅକୁ ତାଙ୍କ ଦେଢ଼ଶୁରର ଶଳା ଶିବପ୍ରସାଦ ରେପ କରି ହତ୍ୟା କରିଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଲୁଚାଇ ଦିଆଯାଇଥିଲା । ତେବେ ମହିଳା ଜଣକ ବର୍ତ୍ତମାନ ଦାବି କରିଛନ୍ତି ଯେ ତାଙ୍କୁ ଏହି ମାମଲାରେ ନ୍ୟାୟ ଦିଆଯାଉ । ତାଙ୍କୁ ତାଙ୍କ ସ୍ୱାମୀ ଏବଂ ଦେଢ଼ଶୁର ଏଭଳି ମାଡ଼ ମାରିଛନ୍ତି ଯେ ତାଙ୍କର ଦୁଇ ଗୋଡ଼ ଭାଙ୍ଗିବା ସହିତ ଶରୀରର ସବୁଠି କ୍ଷତ ହୋଇ ଯାଇଛି । ତେଣୁ ବର୍ତ୍ତମାନ ମହିଳା ନ୍ୟାୟ ନଚେତ ଇଚ୍ଛା ମୃତ୍ୟୁ ଦାବି କରିଛନ୍ତି ।