ମହାନଦୀ ଜଳକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଯେଉଁ ତିକ୍ତତା ବଜାୟ ରହିଛି ସେ ବିଷୟରେ ତ ଆପଣ ଜାଣିଥିବେ। ଅଣମୌସୁମୀ ଋତୁରେ ସମସ୍ତ ବ୍ୟାରେଜ୍ ବନ୍ଦ ରଖିଥିବା ଛତିଶଗଡ଼ ଏବେ ମୌସୁମୀ ଋତୁରେ ସବୁତକ ଖୋଲି ଦେଇଛି। ଏଭଳି ମନମୁଖି ଜଳ ନିୟନ୍ତ୍ରଣର ପ୍ରଭାବ ଓଡ଼ିଶାର ମତ୍ସ୍ୟଜୀବୀଙ୍କ ଉପରେ ପଡ଼ିଛି।
ଛତିଶଗଡ଼ର ମତ୍ସ୍ୟଜୀବୀ ଭଲ ରୋଜଗାର କରୁଥିବା ବେଳେ ଏଠାକାର ମତ୍ସ୍ୟଜୀବୀ ମୁଣ୍ତ ଆଉଁସୁଛନ୍ତି। ତେବେ ଜୁଲାଇ 15 ତାରିଖରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ମହାନଦୀ ଏବଂ ହୀରାକୁଦ ଜଳଭଣ୍ଡାରରେ ମାଛ ଧରିବା ଉପରେ କଟକଣା ରହିବ। ପ୍ରଜନନ ଋତୁ ପାଇଁ ଏହି କଟକଣା ପ୍ରତିବର୍ଷ ଜାରି ହୋଇଥାଏ।
କେବଳ ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକୁ ମାଛ ଧରିବାକୁ ଅନୁମତି ରହିଛି। କିନ୍ତୁ ସେମାନେ ଜାଲରେ ପଡ଼ୁଥିବା ବଡ଼ମାଛକୁ ପୁଣି ପାଣିରେ ଛାଡ଼ିବା ବାଧ୍ୟତାମୂଳକ। କିନ୍ତୁ ଏସବୁ କଟକଣା ଛତିଶଗଡ଼ରେ କିଛି କାଟୁ କରୁନାହିଁ। ହୀରାକୁଦ ଜଳଭଣ୍ଡାରର ସବୁଠୁ ନିକଟବର୍ତ୍ତୀ ବ୍ୟାରେଜ୍ ହେଲା ଛତିଶଗଡ଼ର କଲ୍ମା।
ଏବେ କଲ୍ମାର ସବୁ ଗେଟ୍ ଖୋଲା। ପାଣି ସୁଅ ପ୍ରଖର ଥିବାରୁ ସ୍ବାଭାବିକ ଭାବେ ମାଛଗୁଡ଼ିକ ଉପରମୁଣ୍ଡକୁ ପ୍ରଜନନ ପାଇଁ ପଳାଉଛନ୍ତି। କିନ୍ତୁ ଛତିଶଗଡ଼ରେ କିଛି କଟକଣା ନଥିବାରୁ ସେଠାକାର ମତ୍ସ୍ୟଜୀବୀ ମନଇଚ୍ଛା ଏବଂ ନିଷିଦ୍ଧ ଡୁଲୁଂଗି ଜାଲରେ ମାଛ ଧରୁଛନ୍ତି।ମହାନଦୀ ଅବବାହିକାର ଓଡ଼ିଶା ସୀମାରେ ପ୍ରଥମ ମତ୍ସ୍ୟଜୀବୀ ସମବାୟ ସମିତି ଅମ୍ବାଭୋନା ବ୍ଲକ୍ ତାମଦେଇଠାରେ ରହିଛି।
ମହାନଦୀରେ ପାଣି ନିଅଣ୍ଟ ଥିବାରୁ ଲୋକେ ଚାଷବାସ ଛାଡ଼ି ମାଛ ଧରି କିଛି ପଇସା ରୋଜଗାର କରୁଛନ୍ତି। 5 ବର୍ଷ ପୂର୍ବେ ସ୍ଥିତି ଠିକ୍ ଥିଲା। ଅର୍ଥାତ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ହେବା ପୂର୍ବରୁ ଏଠାକାର ମତ୍ସ୍ୟଜୀବୀ ଭଲ ଉପାର୍ଜନ କରୁଥିଲେ। ମହାନଦୀରେ ମାଛ ବି ପର୍ଯ୍ୟାପ୍ତ ମିଳୁଥିଲେ। ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପୂର୍ବରୁ ଏହି ସମିତି କଟକଣା ସମୟରେ ଦୈନିକ ଗୋଟିଏ ଟନ୍ ମାଛ ଧରୁଥିଲା।
ତେବେ ମୌସୁମୀରେ ଛତିଶଗଡ଼ ସବୁ ବ୍ୟାରେଜ୍ର ଗେଟ୍ ଖୋଲି ଦେଉଛି। ଓଡ଼ିଶା ପଟେ ଗଭୀର ପାଣି ଭରି ଯାଉଛି। ଅନ୍ୟପକ୍ଷରେ ଛତିଶଗଡ଼ ଅଂଚଳରେ ପାଣି କମ୍ ରହୁଥିବାରୁ ମାଛମାନେ ପ୍ରଜନନ ପାଇଁ ଉପରମୁଣ୍ତକୁ ପଳାଉଛନ୍ତି। ଫଳରେ ଓଡ଼ିଶା ଭାଗରେ ମାଛ ପଡ଼ୁ ନାହାନ୍ତି। ସବୁ ମାଛ ଛତିଶଗଡ଼ ମହାନଦୀରୁ ଛାଣି ନେଉଥିବା ଲକ୍ଷ୍ୟ କରାଯାଉଛି।