କୁକୁଡ଼ା ନୁହେଁ ବରଂ ଘରର ସଦସ୍ୟ । ସୁଆଦିଆ ଖାଦ୍ୟ ସହିତ ବସୁଛି ଫ୍ୟାନ ତଳେ । ଆଉ ଡାକିଲେ ପାଖକୁ ଦୌଡ଼ି ଆସୁଛି ।

ସାଧରଣତଃ ଘରେ କୁକୁଡ଼ା ରଖିଲେ ତାହାକୁ ଭାଡ଼ି ତିଆରି କରି ରଖା ଯାଇଥାଏ । କିନ୍ତୁ ଏମିତି ଏକ ଅଦ୍ଭୁତ କୁକୁଡ଼ା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ଯିଏ ରହିବା ପାଇଁ ଭାଡ଼ିର ଆବଶ୍ୟକତା ନାହିଁ । ଜନ୍ମ ହୁଏତ କୁକୁଡ଼ାର ପାଇଛି କିନ୍ତୁ କାମ ସବୁ ମଣିଷ ଭଳି ଏବଂ ମଣିଷ ଭଳି ତାର ସବୁ ଖାଇବାର ଇଚ୍ଛା । ମନ ଇଚ୍ଛା ସୁଆଦିଆ ଖାଦ୍ୟ ନହେଲେ ମୁହଁ ମାରୁନି । ଭାତ ତରକାରୀ ଏବଂ କୁରକୁରେ ସବୁ ଖାଉଛି ଏହି କୁକୁଡ଼ା । ଯାହାର ନାଁ ହେଉଛି ନାଲୁ କୁକୁଡ଼ା । ଆଜ୍ଞା ହଁ ! ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ପଞ୍ଚାୟତ ସୂର୍ଯ୍ୟପୁର ନଅଘରିଆ ଗାଁରେ ସ୍ୱର୍ଣ୍ଣଲତା ବାରିକଙ୍କ ଘରେ ରହି ଏହି କୁକୁଡ଼ାଟି ରହିଛି । ଅନ୍ୟ କୁକୁଡ଼ା ଭଳି ୟାକୁ କେହିବି ମାରି ଖାଇ ନାହାଁନ୍ତି । ସେ ଯେମିତି ଘରର ଜଣେ ସଦସ୍ୟ ପାଲଟି ଯାଇଛି ।

ବେଶ ଗେଲ୍ହ ଅବସରରେ ବଢ଼ିଛି କୁକୁଡ଼ାଟି ଏବଂ ଘରେ ତାକୁ ସମସ୍ତେ ବେଶ ଭଲ ପାଆନ୍ତି । ଅନ୍ୟ ମାନଙ୍କ ଭଳି ଘର ଭିତରେ ରହିବା ସହିତ ଭାତ , ଡାଲି , ରୁଟି ଏବଂ ତରକାରୀ ମଧ୍ୟ ଖାଉଛି । ସୁଆଦିଆ ଖାଦ୍ୟ ନହେଲେ ନାଲୁ କୁଆଡ଼େ ମୁହଁ ମାରେନି ଏବଂ ସବୁଦିନ କରକୁରେ ଖାଇବା ତାର ଅଭ୍ୟାସରେ ପଡ଼ି ଯାଇଛି ।

ଟିକିଏ ଗରମ ହେଲେ ନାଲୁକୁ ଫ୍ୟାନର ଆବଶ୍ୟକତା ପଡୁଛି । ଘରେ ଅନ୍ୟ ସଦସ୍ୟଙ୍କ ସହିତ ସେ ସପ ଉପରେ ଶୋଉଛି । ନାଲୁର ଗୋଟିଏ ଭାଇ ମଧ୍ୟ ଥିଲା କିନ୍ତୁ ସେ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବୋଲି ତାକୁ ବିକ୍ରି କରି ଦେଇଥିଲେ । ନାଲୁ କିନ୍ତୁ ଭାରି ଶାନ୍ତ ତେଣୁ ସେ ସମସ୍ତଙ୍କ ସ୍ନେହ ପାଇ ବେଶ ଗେହ୍ଲାରେ ବଢ଼ିଛି ।

କିନ୍ତୁ ମାଳିକାଣିଙ୍କ ମନ ଦୁଃଖ ଯେ ନାଲୁ କୁଆଡ଼େ ବାର୍ଦ୍ଧକ୍ୟରେ ପହଞ୍ଚିଲାଣି । ତାକୁ ୯ ରୁ ୧୦ବର୍ଷ ବୟସ ହେଲାଣି । ସେ ଆଉ ବେଶୀ ଜୋରରେ ଚାଲି ପାରୁନି । କାଳେ ତାକୁ କେଉଁ କୁକୁର ବିଲୁଆ ଖାଇଦେବେ ସେଥିପାଇଁ ସ୍ବର୍ଣ୍ଣଲତା ତାକୁ ପାଦେ ପାଦେ ଜଗିଛନ୍ତି । ନାଲୁ ଯେ ଖାଲି କେବଳ ସ୍ବର୍ଣ୍ଣଲତା ଭଲ ପାଆନ୍ତି ତାହା ନୁହେଁ ତାକୁ ଘରର ଅନ୍ୟ ଲୋକ ଏବଂ ପଡ଼ୋଶୀ ମାନେ ମଧ୍ୟ ଆଦର କରନ୍ତି ।

ସ୍ୱର୍ଣ୍ଣଲତାଙ୍କ କହିବା ଅନୁଯାୟୀ ବୟସ ହୋଇଯିବାରୁ ନାଲୁର ଗୋଡ଼ରେ ଅଧିକ ମାଂସ ହୋଇଯିବାରୁ କଣ୍ଟା ପଶିଲେ ରକ୍ତ ବାହାରୁଛି । ଏହାକୁ ବାଦ ଦେଲେ ଆଉ କୌଣସି ଅସୁବିଧା ନଥିବା ସେ କହିଛନ୍ତି । ଏପଟେ ଛୋଟ ପିଲାମାନେ ମଧ୍ୟ ନାଲୁ ସହିତ ଖେଳା ବୁଲା କରନ୍ତି । କାରଣ ୧୦ ବର୍ଷ ହେବ ସମସ୍ତଙ୍କ ସହିତ ରହି ରହି ସମସ୍ତଙ୍କୁ ଚିହ୍ନି ଯାଇଛି ।

Leave a Reply

Your email address will not be published. Required fields are marked *