କୌଣସି ବିଷୟ ଜାଣିବା ବା ଶିଖିବା ପାଇଁ ସ୍ଥାନ, ବୟସର ସୀମା ନଥାଏ। ଖାଲି ଶିଖିବା ଲୋକର ଇଚ୍ଛା ଶକ୍ତି ହିଁ ତାକୁ ଆଗକୁ ବଢ଼ିବାରେ ସହାୟକ ହେବା ସହ ଅନନ୍ୟ ଜ୍ଞାନର ଅଧିକାରୀ କରାଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅବଦୁଲ ଆଲିମ ଯେକି ନିଜର ଆଗ୍ରହ ପାଇଁ ସମସ୍ତ ବାଧାବି-ଘ୍ନକୁ ପଛରେ ପକେଇ ସଫଳତାର ସ୍ବାଦ ଚାଖି ପାରିଛନ୍ତି। ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ଜୋହୋ ନାମକ ଏକ ପରିଚିତ କମ୍ପାନୀରେ ସଫ୍ଟୱେର୍ ଡେଭଲପମେଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ସବୁଠୁ ଅଶ୍ଚ-ଯ୍ୟର କଥା ହେଉଛି ଆଜି ସେ ଯେଉଁ କମ୍ପାନୀରେ ଇଞ୍ଜିନିୟର ଭାବେ କାମକରୁଛନ୍ତି କିଛି ବର୍ଷ ପୂର୍ବେ ସେ ସେହି କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଇଣ୍ଟରନେଟ୍ ରେ ଅବଦୁଲଙ୍କ ସେହି ସଫଳତାର କାହାଣୀ ଭାଇ-ରାଲ୍ ହେଉଥିବା ବେଳେ ସେ ଅନେକ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କହିଲେ ଭୁଲ ହେବନି।
ପ୍ରଥମ କରି ୨୦୧୩ ମସିହାରେ ଅବଦୁଲ ୧୦୦୦ ଟଙ୍କା ନେଇ କିଛି ରୋଜଗାର ଆଶାରେ ଘରଛାଡ଼ି ଥିଲେ। ଏହାସହ ସେ ବିଶେଷ କିଛି ପଢି ନଥିଲେ କେବଳ ଦଶମ ପାସ କରି ଘରୁ ବାହାରିଥିଲେ। ତେଣୁ ଚାକିରି ପାଇଁ ତାଙ୍କୁ ବହୁ ସଙ୍ଘର୍ଷ କରିବାକୁ ପଡ଼ିଥିଲା। ବହୁ ପରିଶ୍ରମ ପରେ ସେ ଏକ କମ୍ପାନୀର ସିକ୍ୟୁରିଟି ଡେସ୍କରେ ଚାକିରି ପାଇବାକୁ ସକ୍ଷମ ହୋଇଥିଲେ। ଦିନେ କମ୍ପାନୀର ଜଣେ ବରିଷ୍ଠ କର୍ମଚାରୀ ଅବଦୁଲଙ୍କ ଆଚାର ବ୍ୟବହାର ଦେଖି କହିଥିଲେ- ମୁଁ ତୁମ ଆଖିରେ କିଛି ନିଆରା ଦେଖିପାରୁଛି। ଏବଂ ଆଲିମଙ୍କୁ କିଛି କମ୍ପ୍ୟୁଟର ଜ୍ଞାନ ଅଛିକି ନାହିଁ, କେଉଁ ପର୍ଯ୍ୟନ୍ତ ପଢ଼ିଛନ୍ତି ସେ ସବୁ ବିଷୟରେ ପଚାରିଥିଲି। ତାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ସେ ସ୍କୁଲରେ HTML ବିଷୟରେ ଟିକିଏ ପଢ଼ିଥିଲେ। ଏହା ପରେ ଆଲିମଙ୍କ ଜୀବନର ଗତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା।
ଆଲିମଙ୍କ ଶିଖିବାର ଇଚ୍ଛାକୁ ଦେଖି ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଙ୍କୁ କମ୍ପ୍ୟୁଟର ବିଷୟରେ ବିଭିନ୍ନ ଜିନିଷ ଶିଖାଇବାକୁ ଚାହୁଁଥିଲେ। ଏହା ପରେ, ଆଲିମ ପ୍ରତିଦିନ ନିଜ ୧୨ ଘଣ୍ଟିଆ ସିକ୍ୟୁରିଟି ଗାର୍ଡ ସିଫ୍ଟ୍ ଶେଷ କରିବା ପରେ ସେମାନଙ୍କଠାରୁ କୋଡିଂ ଶିଖିବା ଆରମ୍ଭ କରିଥିଲେ | ପ୍ରାୟ ୮ ମାସ କୋଡିଂ ସହ ଅନ୍ୟାନ୍ୟ ବିଷୟ ଶିଖିବା ପରେ, ଆଲିମ୍ ଏକ ଆପ୍ ତିଆରି କରିଥିଲେ। ତାଙ୍କର ସେହି ଆପକୁ ବରିଷ୍ଠ କର୍ମଚାରୀମାନେ ବେଶ ପସନ୍ଦ କରିଥିଲେ। ଏବଂ ତାଙ୍କୁ ଉକ୍ତ କମ୍ପାନୀରେ ନିଯୁକ୍ତ କରିବା ପାଇଁ ଏକ ସାକ୍ଷାତକାର ସ୍ଥିର ହୋଇଥିଲା। ଆଲିମ ଉକ୍ତ ସାକ୍ଷାତକାର ପାସ୍ କରିଥିଲେ ଏବଂ ଗତ ୮ ବର୍ଷ ହେଲା ସେ ଜୋହୋ କର୍ପୋରେସନରେ ସଫ୍ଟୱେର୍ ଡେଭଲପମେଣ୍ଟ ଇଞ୍ଜିନିୟର ଭାବେ କାର୍ଯ୍ୟ କରି ଆସୁଛନ୍ତି।
ନିକଟରେ ଅବଦୁଲ ଆଲିମ ସାମାଜିକ ଗଣମାଧ୍ୟମ ଲିଙ୍କଡାଇନରେ ତାଙ୍କ କାହାଣୀ ସେୟାର କରିଥିଲେ, ଯାହାକୁ ହଜାର ହଜାର ଲୋକ ପସନ୍ଦ କରିବା ସହ ଅସଂଖ୍ୟ ପ୍ରତିକ୍ରିୟା ଦେଇଛନ୍ତି ଓ ସେୟାର ମଧ୍ୟ କରୁଛନ୍ତି। ଏହି ପୋଷ୍ଟରେ ପାଖାପାଖି ୩ ଲକ୍ଷ ଲୋକ ପ୍ରତିକ୍ରିୟା ଦେଇଥିବା ବେଳେ ୧୫ ହଜାରରୁ ଅଧିକ କମେଣ୍ଟ ଦେଇଛନ୍ତି। ଆଲିମଙ୍କ ଏହି ଉତ୍ସାହ ଓ ଶିଖିବାର ଇଚ୍ଛାକୁ ବେଶ ପ୍ରଶଂସା କରିଛନ୍ତି ଲୋକମାନେ।