ସଂସଦୀୟ ପ୍ୟାନେଲ ମୁଖ୍ୟ ଏବଂ ଲୋକସଭା ସାଂସଦ ଶଶି ଥରୁର କହିଛନ୍ତି ଯେ ଏହି କ୍ୟାଲେଣ୍ଡର ବର୍ଷ 2021 ର ଶେଷ କିମ୍ବା 2022 ପ୍ରାରମ୍ଭ ସୁଦ୍ଧା ଭାରତରେ 5G ସେବା ଚୟନ ବ୍ୟବହାର ପାଇଁ ଆରମ୍ଭ କରାଯାଇପାରିବ ।
ଭାରତ ସରକାର 5G ବିଷୟରେ ଏକ ବଡ ବିବୃତ୍ତି ଦେଇଛନ୍ତି । ସରକାରଙ୍କ ଅନୁଯାୟୀ ଚଳିତ ବର୍ଷ ଦେଶରେ 5G ରୋଲ ଆଉଟ୍ କରିବା ସମ୍ଭବ ନୁହେଁ । 2022 ମସିହା ପ୍ରାରମ୍ଭରେ ଭାରତରେ ଏହାର ଆରମ୍ଭ ହୋଇପାରେ । ସଂସଦୀୟ ପ୍ୟାନେଲର ରିପୋର୍ଟ ଅନୁଯାୟୀ ଆସନ୍ତା 6 ମାସ ପରେ ଆଉ ଏକ ସ୍ପେକ୍ଟ୍ରମ ନିଲାମ କରାଯିବ । ଏହା ପରେ ହିଁ ଆସନ୍ତା ବର୍ଷ ସୁଦ୍ଧା ଭାରତରେ 5G ରୋଲ ଆଉଟ୍ କରାଯିବ । ସଂସଦୀୟ ପ୍ୟାନେଲ ମୁଖ୍ୟ ଏବଂ ଲୋକସଭା ସାଂସଦ ଶଶି ଥରୁର କହିଛନ୍ତି ଯେ ଏହି କ୍ୟାଲେଣ୍ଡର ବର୍ଷ 2021 ର ଶେଷ କିମ୍ବା 2022 ପ୍ରାରମ୍ଭ ସୁଦ୍ଧା ଭାରତରେ 5G ସେବା ଚୟନ ବ୍ୟବହାର ପାଇଁ ଆରମ୍ଭ କରାଯାଇପାରେ । ଏହାର କାରଣ ହେଉଛି ଭାରତରେ 4G ଅତି କମରେ ଆଉ 5 ରୁ 6 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବା ଉଚିତ୍ ।
ମୁକେଶ ଅମ୍ବାନୀଙ୍କୁ ଲାଗିପାରେ ଶକ୍ତ ଝଟକା :
ସଂସଦୀୟ ପ୍ୟାନେଲ ରିପୋର୍ଟ ଦ୍ଵାରା ରିଲାଏନ୍ସ ସିଇଓ ମୁକେଶ ଅମ୍ବାନୀଙ୍କୁ ଶକ୍ତ ଝଟକା ଲାଗିପାରେ । ଏହାପୂର୍ବରୁ ମୁକେଶ ଅମ୍ବାନୀ କହିଥିଲେ ଯେ Jio, 2021 ମସିହାର ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଭାରତରେ 5G ସେବା ଆରମ୍ଭ କରିବ । ଅମ୍ବାନୀଙ୍କ ମନ୍ତବ୍ୟ ଅନୁଯାୟୀ Jio, 5G ସେବା ଯୋଗାଇବାରେ ସର୍ବ ପ୍ରଥମ ହେବ । ଏଥି ସହିତ ଚଳିତ ବର୍ଷ Airtel ଦ୍ୱାରା ହାଇଦ୍ରାବାଦର ବ୍ୟବସାୟିକ ନେଟୱାର୍କରେ 5G ସେବା ସଫଳତାର ସହ ପରୀକ୍ଷା କରାଯାଇଛି । ଟେଲିକମ୍ କମ୍ପାନୀ Airtel ଏବଂ Jio, 5G ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହି ଦୁଇଟି କମ୍ପାନୀ କେବଳ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛନ୍ତି ।
5G ସେବା ରୋଲଆଉଟରେ ହୋଇପାରେ ବିଳମ୍ବ:
ସଂସଦୀୟ ପ୍ୟାନେଲର ରିପୋର୍ଟ ଅନୁଯାୟୀ, ବାକି ଦେଶ ତୁଳନାରେ ଭାରତ 5G ସେବା ପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତ ହୋଇନାହିଁ । ଏଭଳି ପରିସ୍ଥିତିରେ ଭାରତ ଅଧା ପ୍ରସ୍ତୁତି ସହ ଆଗକୁ ବଢ଼ିପାରିବ ନାହିଁ । ରିପୋର୍ଟ ଅନୁଯାୟୀ, ଯଦି ସରକାର 5G ସେବା ଆରମ୍ଭ କରିବାରେ ହସ୍ତକ୍ଷେପ ନକରନ୍ତି, ତେବେ ଭାରତ 2G, 3G, 4G ଭଳି 5G ର ସୁଯୋଗ ହାତଛଡ଼ା କରିବ । ଟେଲିକମ୍ ଇଣ୍ଡଷ୍ଟ୍ରି ବଡି (COAI) ଚିନ୍ତା ପ୍ରକାଶ କରିଛି ଯେ ଯେତେବେଳେ ଟେଲିକମ୍ ଅପରେଟରମାନେ ଜାନୁୟାରୀ 2020 ରେ 5G ଟ୍ରାଏଲ୍ ଆବେଦନ ଦାଖଲ କରିଥିଲେ, ତେବେ ଏପର୍ଯ୍ୟନ୍ତ କାହିଁକି ଟ୍ରାଏଲ୍ ଗାଇଡ୍ ଲାଇନ୍ ତାରିଖ ପ୍ରକାଶ କରାଯାଇ ନାହିଁ ।
5G ସେବା ବିଳମ୍ବ ହେତୁ ତାଗିଦ ହେଲା ଟେଲିକମ୍ ବିଭାଗ:
ମାର୍ଚ୍ଚ 1 ରୁ 3.92 ଲକ୍ଷ କୋଟି ଟଙ୍କା ମୂଲ୍ୟର ସ୍ପେକ୍ଟ୍ରମ ନିଲାମ କରାଯିବ ବୋଲି ଟେଲିକମ୍ ମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ 5G ସେବା ପାଇଁ ଆବଶ୍ୟକ ଫ୍ରିକ୍ୱେନ୍ସି ଅନ୍ତର୍ଭୂକ୍ତ ହୋଇ ନାହିଁ । ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ଥିବା ସଂସଦର ସ୍ଥାୟୀ କମିଟି 5G ସେବାରେ ବିଳମ୍ବ ହେତୁ ଟେଲିକମ୍ ବିଭାଗ (DoT) ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛି । ସରକାର କହିଛନ୍ତି ଯେ ଯେତେବେଳେ ଅଧିକାଂଶ ଦେଶ ପରବର୍ତ୍ତୀ ପିଢ଼ିର ଟେକ୍ନୋଲୋଜିର ବ୍ୟବସାୟିକ ବ୍ୟବହାର ଆରମ୍ଭ କରିଛନ୍ତି, ସେତେବେଳେ ଭାରତରେ ଏହାର ରୋଲ ଆଉଟ୍ କାହିଁକି ବିଳମ୍ବ ହେଉଛି ? ଆପଣଙ୍କୁ କହିରଖୁଛୁଯେ ନିକଟରେ ଟେଲିକମ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ ଯେ ଆମେ ବିଶ୍ୱରେ ଦ୍ରୁତ ଗତିରେ ମେଡ୍ ଇନ୍ ଇଣ୍ଡିଆ 5G କୁ କାର୍ଯ୍ୟକାରୀ କରିବୁ ।