ରାଜ୍ୟରେ ତୃତୀୟ ଦିନରେ ଟିକାକରଣ ଜାରି: ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଏବେ ମନାକଲେ, ପରେ ମାଗଣାରେ ଦିଆଯିବନି ଟିକା

କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ନେବାକୁ ଅପିଲ କରାଯାଇଛି । କିନ୍ତୁ ଯେଉଁମାନେ ଟିକାକରଣ ପାଇଁ ମନା କରିଦେଉଛନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେଣୁ ଟିକା ନେବାକୁ ମନାକଲେ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ, ହୁଏତ ସେମାନଙ୍କୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଟିକା କିଣିବାକୁ ପଡ଼ିବ। ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଦିନ ମଧ୍ୟ ବେଶ୍ ସଫଳ ହୋଇଛି। ଗତକାଲି ୩୭୫ ସେସନରେ ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି।୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବାର ଯୋଜନା ଥିଲା, କିନ୍ତୁ ତାଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।

ଫଳରେ ୧୦୨ ପ୍ରତିଶତ ଟାର୍ଗେଟ ହାସଲ କରାଯାଇପାରିଛି। ତେଣୁ ଆଜି କିଛି ସେସନ କମ୍ କରାଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଆଜି ୧୯୨ଟି ସେସନ ହେଉଥିବା ବେଳେ ଏଥିରେ ୧୬ ହଜାର ୨୬୧ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି।ଟିକା ନେବା ପରେ ଏପଯର୍ଯ୍ୟନ୍ତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନାହିଁ। ତେବେ ୭ ଜଣ ସାମାନ୍ୟ ଭଲ ଲାଗୁନଥିବା ପ୍ରକାଶ କରିଛନ୍ତି।

ସେପଟେ ଆଜି ପହଞ୍ଚିବ ଦ୍ବିତୀୟ ଦଫା କରୋନା ଟିକା । ଆଜି ରାଜଧାନୀ ଭୁବନେଶ୍ବରରେ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସି ଟିକା ପହଞ୍ଚିବ ବୋଲି ଜଣାପଡିଛି । ଅପରାହ୍ନ ୪ଟା ୨୫ରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବାଇସ ଜେଟରେ ଟିକା ପହଞ୍ଚିବ । ତିନି ଦିନ ପରେ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।ତେବେ ପୂର୍ବରୁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ରାଜ୍ୟକୁ ୪ ଲକ୍ଷ ୮ ହଜାର କୋଭିସି ଟିକା ଆସିଥିଲା ।

ଦ୍ଵିତୀୟ ଦଫା କରୋନା ଟିକା ପହଞ୍ଚିବା ପରେ, ରାଜ୍ୟର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ଟିକାକରଣ ହୋଇପାରିବ ବୋଲି ଆଶା ରଖୁଛନ୍ତି ସରକାର।ଆସନ୍ତାକାଲି ୯୨ ଟି ସେସନ, ୨୧ ତାରିଖରେ ୪୩୬ଟି ସେସନ,୨୨ରେ ୧୪୧ସେସନ୍, ୨୩ରେ ୧୭୮ ଏବଂ ୨୫ ତାରିଖରେ ୨୭୯ ଟି ସେସନ ହେବ ଟିକାକରଣ ହେବ । ଏହିପରି ଭାବରେ ୨୫ ତାରିଖ ଭିତରେ ୧୬ ଶହ ୯୮ଟି ସେସନ୍‌ରେ ମୋଟ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କେବେ କେଉଁଦିନ କେତୋଟି ସେସନରେ ଟିକାକରଣ ହେବ ସମୟ ନିର୍ଦ୍ଧାରଣ ସରିଛି।

Leave a Reply

Your email address will not be published. Required fields are marked *