ରାଇରଙ୍ଗପୁରରେ ରହୁଥିବା ଅନୁପମା ପ୍ରଜାପତିଙ୍କର ନିର୍ବନ୍ଧ ସାରିଥିଲା ଆଉ ମାତ୍ର କିଛିଦିନ ମଧ୍ୟରେ ବିବାହ ହେବାର ଥିଲା | ଅନୁପମା ନିଜ ମାତା, ପିତା, ପରିବାର ସଦସ୍ୟ ଏବଂ ସାଙ୍ଗସାଥିଙ୍କ ସହିତ ବଣଭୋଜି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଘୋଘର ଇବ ନଦୀ କନାକୁଣ୍ଡକୁ ଯାଇଥିଲେ | ଏତେ ହସଖୁସି ମଧ୍ୟରେ ମୃତ୍ୟୁ ଆସିଯିବ ବୋଲି ଅନୁପମା କିମ୍ବା ତାଙ୍କ ପରିବାର ଲୋକମାନେ ଚିନ୍ତା ମଧ୍ୟ କରି ନଥିଲେ | ସାଙ୍ଗସାଥିଙ୍କ ସହିତ ମୋବାଇଲରେ ସେଲ୍ଫି ଉଠାଇବା ଅନୁପମାଙ୍କ ପାଇଁ ମହଙ୍ଗା ପଡିଥିଲା |
ବଣଭୋଜିରେ ଯାଇଥିବା ପରିବାର ଲୋକମାନେ ରୋଷେଇ କରିବାରେ ବ୍ୟସ୍ତ ଥିବା ସମୟରେ ଅନୁପମା ନିଜର ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ନଦୀ ମଝିରେ ରହିଥିବା ୭ ବଖରା ସ୍ଥାନକୁ ଯାଇଥିଲେ | ସେଠାରେ ଯାଇ ସମସ୍ତେ ପ୍ରକୃତିକୁ ଉପଭୋଗ କରିବା ସହିତ ମୋବାଇଲରେ ଫୋଟୋ ଉଠାଇବା ଆରମ୍ଭ କରିଦେଇଥିଲେ | ଏହି ସମୟରେ ଅସାବଧାନତା କାରଣରୁ ଅନୁପମା ନଦୀରେ ଖସି ପଡ଼ିଥିଲେ ଏବଂ ଗଭୀର ଜଳ ଭଉଁରୀ ମଧ୍ୟରେ ଫଶିଯାଇଥିଲେ | ସମସ୍ତଙ୍କ ଆଖି ସାମ୍ନାରେ ନଦୀ ଜଳରେ ଅଦୃଶ୍ୟ ହୋଇଯାଇଥିଲେ ଅନୁପମା |
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଅନୁପମାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନଦୀର ଗଭୀର ଜଳ ଦେଖି ଭିତରକୁ ପଶିବାର ସାହସ କରି ନଥିଲେ | କିଛି ସମୟ ମଧ୍ୟରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଖିଜାଖୋଜି ଆରମ୍ଭ କରିଦେଇଥିଲେ ଏବଂ ଦୀର୍ଘ ୨୨ ଘଣ୍ଟା ପରେ ଯୁବତୀଙ୍କର ମୃତଦେହ ଉଦ୍ଧାର କରାଯାଇଛି |
ତେବେ ଅନୁପମାଙ୍କ ବିବାହ ଝାଡ଼ଖଣ୍ଡ ରାଜ୍ୟର ସିମଡେଗାରେ ସ୍ଥିର ହୋଇଯାଇଥିଲା | ଗତ ଦୁଇମାସ ତଳେ ସେଠାରେ ତାଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା | ଆସନ୍ତା ଫେବୃଆରୀ ୧୬ ତାରିଖ ଦିନ ତାଙ୍କ ବିବାହ ତାରିଖ ମଧ୍ୟ ସ୍ଥିର ହୋଇଯାଇଥିଲା | ମାତ୍ର ଅନୁପମାଙ୍କର ଏପରି ଆକସ୍ମିକ ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି |