ଧାର୍ଯ୍ୟ ହେଲା ସ୍କୁଲ ଖୋଲିବା ନିଷ୍ପତ୍ତି ଓ ମାଟ୍ରିକ ପରୀକ୍ଷା ତାରିଖ, ୮୦ ମାର୍କକୁ ନେଇ ହେବ ପ୍ରତ୍ୟେକ ବିଷୟର ପରୀକ୍ଷା

ଭୁବନେଶ୍ୱର : ବିଗତ ବର୍ଷ କରୋନା ମହାମାରୀ ଯୋଗୁଁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦୋହଲି ଯାଇଥିଲା।ତେବେ ଏହି ଶିକ୍ଷା ବ୍ୟବସ୍ଥା ରେ ସୁଧାର ଆଣିବା ସହିତ ବିଳମ୍ବରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ୮ ତାରିଖରୁ ଦଶମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ। ଆଉ ମେ’ ୩ ତାରିଖରେ ସେମାନେ ଦେବେ ମାଟ୍ରିକ ପରୀକ୍ଷା। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ପରୀକ୍ଷା ହେବା ପୂର୍ବରୁ ସ୍କୁଲ ଖୋଲାଯିବ ଏବଂ ୧୦୦ ଦିନର ପାଠପଢା ପରେ ପରୀକ୍ଷା କରାଯିବ। ତେବେ ପରୀକ୍ଷା ହେଲେ ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ୫୦ ମାର୍କର ଓଏମ୍‌ଆର୍‌ ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡ଼ିବ। କିନ୍ତୁ ରେଜଲ୍ଟ ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ। ୮୦ରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ, ତାକୁ ଅବଶିଷ୍ଟ ୨୦ରୁ ହିସାବ କରାଯାଇ ମୋଟ ନମ୍ବର ଦିଆଯିବ।

ପରୀକ୍ଷା ଫଳାଫଳ ଘୋଷଣା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପାଇଁ ପରୀକ୍ଷା ଫଳ ପ୍ରକାଶନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ସ୍କୁଲ୍ ଖୋଲିବା ଓ ପରୀକ୍ଷା କରାଯିବା ଗୁରୁତ୍ୱପୂର୍ଣ୍ଣ। ତେବେ ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କେମିତି ଶୀଘ୍ର ପରୀକ୍ଷା ଫଳ ବାହାରି ପାରିବ, ସେ ନେଇ ଆମେ ଚେଷ୍ଟା କରିବୁ ଏବଂ ମୂଲ୍ୟାୟନ କିପରି ତୃଟିପୂର୍ଣ୍ଣ ଓ ଯଥାସମ୍ଭବ ପ୍ରକାଶ ପାଇବ, ସେଥିପାଇଁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜନ କରାଯିବ ଏବଂ ମୂଲ୍ୟାୟନ ସେଣ୍ଟର ବର୍ଦ୍ଧିତ କରାଯିବ।

ମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ପର୍ଯ୍ୟାୟ କ୍ରମେ ବିଭାଗ ପକ୍ଷରୁ ସ୍କୁଲ୍ ଖୋଲିବା ଆରମ୍ଭ କରାଯାଇଛି। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଯିବ ଓ ୧୦୦ ଦିନର କ୍ଲାସ ହେବ। ଶନିବାର ଓ ରବିବାର ବି ପାଠପଢ଼ା ହେବ। କେବଳ ଉତ୍ସବ ଭାବେ ପାଳନ କରାଯାଉଥିବା ଦିନ ଗୁଡ଼ିକରେ ସ୍କୁଲ୍ ଛୁଟି ରହିବ।

ସେ କହିଛନ୍ତି, ଏସ୍‌ଓପି ମାନି ସ୍କୁଲ୍ ଗୁଡ଼ିକୁ ଖୋଲାଯିବ। ଯେଉଁ ସ୍କୁଲ୍‌ ଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳ ସୁବିଧା ନାହିଁ, ସେଗୁଡ଼ିକୁ ଖୋଲାଯିବ ନାହିଁ। ପ୍ରଥମେ ସେ ବ୍ୟବସ୍ଥା କରାଯିବ ଓ ତା’ପରେ ସ୍କୁଲ୍ ଖୋଲାଯିବ। ସେହିପରି ଗୋଟିଏ ଗୋଟିଏ ଶ୍ରେଣୀରେ ୨୦ ରୁ ୨୫ ପିଲାଙ୍କୁ ବସାଯିବ। ଗୋଟିଏ ଶ୍ରେଣୀରେ ତା’ଠାରୁ ଅଧିକ ପିଲା ଥିଲେ ଦୁଇଟି ସେକ୍ସନ କରାଯିବ। ଆହୁରି ଅଧିକ ପିଲା ଥିଲେ ତିନୋଟି ସେକ୍ସନ ବି କରାଯିବ।

ଜାନୁଆରୀ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ଘୋଷଣା କରିଥିବା ବେଳେ ହଷ୍ଟେଲ୍ ଖୋଲିବାକୁ ଅନୁମତି ଦେଇ ନାହାନ୍ତି। ମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟାୟକ୍ରମେ ଏନେଇ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ସ୍କୁଲ୍‌ ଖୋଲିବା ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ଶିକ୍ଷକ, ପିଲା ସ୍କୁଲ ଆସି ପାରିବେ ନାହିଁ ବୋଲି କୁହାଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ। ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ। ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି। ସ୍କୁଲ ବସ୍ ବଦଳରେ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ିବେ। କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ। ପିଲାଙ୍କ ପାଇଁ ପରୀକ୍ଷା ଭଳି କ୍ଲାସ୍‌ରେ ନିର୍ଦ୍ଦିଷ୍ଟ ସିଟ୍ ବ୍ୟବସ୍ଥା ହେବ। ପ୍ରତି ସ୍କୁଲରେ ଆଇସୋଲେସନ ରୁମ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗହଳି ଏଡ଼ାଇବାକୁ ରିସେସ୍ ଟାଇମ୍ ଭିନ୍ନ ଭିନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *