କଟକ/ଭୁବନେଶ୍ୱର: ଆଜି ହେଉଛି ବର୍ଷର ଶେଷ ଦିନ। ଆଉ କି ମୁହୂର୍ତ୍ତକ ପରେ ଆସିବ ଇଂରାଜୀ ନବବର୍ଷ ୨୦୨୧। ସମସ୍ତେ ବେଶ୍ ଉତ୍ସବ ମୁଖର। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ହେତୁ ନ୍ୟୁ ଇଅର୍ ସେଲିବ୍ରେସନ ଫିକା ପଡ଼ିଯାଇଛି। ନାଇଟ୍ ସେଲିବ୍ରେସନ୍ ଭିଡ଼ ଏଡ଼ାଇବାକୁ କଟକ, ଭୁବନେଶ୍ୱରରେ ଆଜି ୧୪୪ ଧାରା ଜାରି ହେବ। ଆଜି ପ୍ରେସ୍ମିଟ୍ରେ ଏନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ରାତି ୯ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ରାତିରେ ନୂଆବର୍ଷ ଭୋଜି ନ କରିବାକୁ ପୋଲିସ୍ କମିଶନର କହିଛନ୍ତି। ଆପାର୍ଟମେଣ୍ଟ, ରେସିଡେନ୍ସିଆଲ୍ ଅଞ୍ଚଳରେ ଭୋଜି ନ କରିବା ପାଇଁ ପୋଲିସ୍ କମିଶନର କହିଛନ୍ତି। ରାତି ୯ ଟା ପୂର୍ବରୁ ସମସ୍ତ ହୋଟେଲ, ବାର୍ ବନ୍ଦ କରାଯିବ।କୌଣସି ପ୍ରକାରେ ଯେପରି ଗ୍ୟାଦରିଂ ନ ହୁଏ , ସେଥିପ୍ରତି ଦୃଷ୍ଟି ଦିଆଯାଇଛି।
ଟ୍ୱିନ୍ ସିଟିରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାସ୍ତାର ବିଭିନ୍ନ ଜାଗାରେ ନାକା ଲଗାଯିବ।ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ ବୋଲି ପ୍ରେସ୍ମିଟ୍ରେ ପୋଲିସ୍ କମିଶନର ଏହି ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳେ ପେଟ୍ରୋଲିଙ୍ଗ୍ କରାଯିବ। ଯେଉଁମାନେ ନିୟମ ଉଲଙ୍ଘନ କରିବେ, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହାଛଡା ଜିରୋ ନାଇଟ୍ ସେଲିବ୍ରେସନ୍ ମନା ହୋଇଥିବା ବେଳେ ଏବେ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗିବ।
ତେବେ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟତକୁ ଅନୁମତି ମିଳିବ। କରୋନା ସଂକ୍ରମଣ ଆଶଙ୍କାରେ କରି ହୋଇଥିବା ଏହି ନାଇଟ କର୍ଫ୍ୟୁରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଏସ.ଆର୍ .ସି (SRC)।
ନୂଆବର୍ଷରେ ଅଫିସ୍ରେ ଏକାଠି ହେବାକୁ ବାରଣ କରାଯାଇଛି। ନୂଆବର୍ଷ ପାଳନ କଟକଣା ନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ଏହାସହ ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ଏକାଠି ହେବାକୁ ମଧ୍ୟ ମନା ହୋଇଛି। କରୋନା ଭୟାବହତା ଦୃଷ୍ଟିରୁ ଏକାଠି ନ ହେବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏକାଠି ନ ହୋଇ ଭର୍ଚୁଆଲ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ SRC କହିଛନ୍ତି।
ଏହାସହ ଜିରୋ ନାଇଟ୍ ସେଲିବ୍ରେସନ୍ ଭିଡ଼ ଏଡ଼ାଇବାକୁ କଟକ, ଭୁବନେଶ୍ୱରରେ ଆଜି ୧୪୪ ଧାରା ଜାରି ହେବ। ଆଜି ପ୍ରେସ୍ମିଟ୍ରେ ଏନେଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ଅଞ୍ଚଳରେ(ବିଏମ୍ସି) ଜିରୋ ନାଇଟ୍ ସେଲିବ୍ରେସନ୍ ବାରଣ ନେଇ ବିଏମ୍ସି କମିଶନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହୋଟେଲ, କ୍ଲବ, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବ ନାହିଁ। ଏପରିକି ଅନ୍ୟ କୌଣସି ସ୍ଥାନରେ ଅଧିକ ଲୋକ ସମାଗମ ହେବା ମଧ୍ୟ ବାରଣ ହୋଇଛି। ନିଜ ଘରେ ପରିବାର ସଦସ୍ୟଙ୍କ ସହ ନୂଆବର୍ଷ ପାଳନ କରିବାକୁ ଅନୁରୋଧ କରାଯାଇଛି।