ନାରୀ ନିର୍ଯାତନା ଯେମିତି ସମାଜର ଟ୍ରେଣ୍ଡ ପାଲଟି ଗଲାଣି | କେତେବେଳେ ଯୌତୁକ ନାଁରେ ନିର୍ଯାତନା ତ ଆଉ କେତେବେଳେ ନାରୀଙ୍କ ସହ ଦୁଷ୍କର୍ମ କରାଯାଉଥିବା ବେଳେ ବର୍ତ୍ତମାନ ମଦ ପିଇ ବାରମ୍ବାର ନିଜ ପତ୍ନୀଙ୍କୁ ପିଟୁଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି | ମଦ ପିଇବା ପରେ ବ୍ୟକ୍ତି ଜଣଙ୍କ ସବୁବେଳେ ନିଜ ପତ୍ନୀଙ୍କୁ ମାରଧର କରିଥାନ୍ତି | ତେବେ ବାପାଙ୍କର ଏପରି ନିର୍ଦୟ କାର୍ଯ୍ୟ ଦେଖି ତାଙ୍କ ୧୬ ବର୍ଷର ଝିଅ ସହି ପାରି ନଥିଲେ ଏବଂ ଏକ ଚରମ ପଦକ୍ଷେପ ଗ୍ରହଣ କରିଥିଲେ | ମାଆଙ୍କ ଉପରେ ସବୁବେଳେ ହେଉଥିବା ଏପରି ଆଚରଣରେ ଅତିଷ୍ଠ ହୋଇ ଶେଷରେ ବୁଧବାର ଦିନ ଝିଅଟି ଏକ ଅବିଶ୍ୱାସନୀୟ କାର୍ଯ୍ୟ କରିଥିଲେ | ମାଆଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦେଖି ଝିଅଟି ନିଜ ବାପାଙ୍କୁ ପିଟି ପିଟି ହତ୍ୟା କରି ଦେଇଥିଲେ |
ନାବାଳିକା ଜଣକ ପିତାଙ୍କୁ ହତ୍ୟା କରିବା ପରେ ନିଜେ ପୋଲିସକୁ ସୂଚନା ଦେଇ ନିଜର ସମସ୍ତ ଅପରାଧ ସ୍ୱୀକାର କରିବା ପରେ ଆତ୍ମସମର୍ପଣ କରିଛନ୍ତି | ତେବେ ଏହି ଚାଞ୍ଚଲ୍ୟକରୀ ଘଟଣା ମଧ୍ୟପ୍ରଦେଶର ଭୋପାଳରୁ ସାମ୍ନାକୁ ଆସିଛି | ପୋଲିସକୁ ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କର ମୃତ ପିତାଙ୍କର ବୟସ ୪୫ ବର୍ଷ ଥିଲା ଏବଂ ସେ କୌଣସି କାମ ଧନ୍ଦା କରୁ ନଥିଲେ | ଘରର ମୁରବି ହିସାବରେ କୌଣସି କାମ କରୁ ନଥିଲେ ମଧ୍ୟ ପ୍ରତ୍ୟେକ ଦିନ ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲେ | ତେବେ ମୃତକଙ୍କର ବଡ ପୁଅ ଗୋଟିଏ ଇଟା ଭାଟିରେ କାମ କରି ଘର ଚଳାଉଥିଲେ |
ବ୍ୟକ୍ତି ଜଣକ ସବୁବେଳେ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିଆସୁଥିଲେ | ମୃତକ ବ୍ୟକ୍ତିଙ୍କର ଅତ୍ୟାଚାର ଏବଂ ବ୍ୟବହାରକୁ ନେଇ ପରିବାର ଲୋକମାନେ ଅଧିକାଂଶ ସମୟରେ ଚିନ୍ତିତ ରହୁଥିଲେ | ତେବେ ଘଟଣା ଦିନ ଅର୍ଥାତ ବୁଧବାର ଦିନ ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ କିଛି ଲୋକ ବସି ମୃତକଙ୍କର ବଡ଼ପୁଅର ବିବାହ ବିଷୟରେ ଆଲୋଚନା କରୁଥିଲେ | କିନ୍ତୁ ଏହି ସମୟରେ ମଦୁଆ ବାପା ନିଶାରେ ଆସି ଝଗଡା ଆରମ୍ଭ କରି ଦେଇଥିଲେ |
ଝଗଡା ଧୀରେ ଧୀରେ ବଢିବା ସହିତ ମଦ୍ୟପ ବାପା ନିଜ ସ୍ତ୍ରୀଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ | ଏସବୁ ଦେଖି ୧୬ ବର୍ଷର ଝିଅ ସହି ପାରିନଥିଲେ ଏବଂ ଉତକ୍ଷିପ୍ତ ହୋଇ ଲୁଗା ସଫା କରାଯାଉଥିବା ବ୍ୟାଟରେ ବାପାଙ୍କ ମୁଣ୍ଡକୁ ପିଟି ଦେଇଥିଲେ | ଏହାପରେ ସେ ରକ୍ତାକ୍ତ ହୋଇ ଭୂମିରେ ପଡି ଯାଇଥିଲେ ଏବଂ ଝିଅଟି ପୁଣି ଠାରେ ଏକ ଲୁହା ଲାଗିଥିବା ବାଡ଼ିରେ ତାଙ୍କ ଉପରେ ବାରମ୍ବାର ପ୍ରହାର କରିଥିଲେ | ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା |
ବାପାଙ୍କର ମୃତ୍ୟୁ ପରେ ନାବାଳିକା ଜଣକ ନିଜେ ଫୋନରୁ ୧୦୦ ନମ୍ବର ଡାଏଲ କରି ସମସ୍ତ ଘଟଣାର ସୂଚନା ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଗିରଫ କରି ସୁଧାର କେନ୍ଦ୍ରକୁ ପଠାଇ ଦେଇଛନ୍ତି | ଏହାଛଡା ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।