ଅକ୍ଟୋବର ୧ରୁ ଦେଶରେ ଅନଲକ୍-୫ ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡଲାଇନ ଜାରି କରିଛି। ଆସନ୍ତୁ ଜାଣିବା ଏହି ଗାଇଡଲାଇନ ମୁତାବକ କାହା ପାଇଁ କଣ ରହିଛି ନିୟମ।
୧. କେନ୍ଦ୍ରସରକାର ଅନଲକ ୫.୦ ଗାଇଜଲାଇନ୍ସ ଜାରୀ କରିଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ, ହୋଟେଲ, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ୧୫ ଅକ୍ଟୋବରରୁ ଖୋଲିବ। ଏହାଛଡା ସିନେମା ହଲ୍ / ମଲ୍ଟିପ୍ଲେକ୍ସ ମଧ୍ୟ ୧୫ ଅକ୍ଟୋବରରୁ ଖୋଲିବ। ୫୦% କ୍ଷମତା ସହିତ ଏ ସବୁ କାର୍ଯ୍ୟ କରିବାକୁ ଅନୁମତି ମିଳିଛି। I&B ମନ୍ତ୍ରଣାଳୟ ଦ୍ୱାରା SOP ଜାରି କରାଯିବ।
୨. କ୍ରୀଡ଼ାବିତମାନଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ସୁଇମିଂ ପୁଲଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ ଏବଂ ଏଥିପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ।
୩. ଅକ୍ଟୋବର ୧୫ରୁ ଆମୋଦପ୍ରମୋଦ ଉଦ୍ୟାନ ଏବଂ ଏହିପରି ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ଖୋଲିବା ଲାଗି ଅନୁମତି ଦିଆଯିବ, ଏଥିପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ। ୪. ବ୍ୟବସାୟିକ (ବିଟୁବି) ପ୍ରଦର୍ଶନୀ ଖୋଲିବା ଲାଗି ଅନୁମତି ଦିଆଯିବ, ଏଥିପାଇଁ ବାଣିଜ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବ।
୫. ଅନଲାଇନ/ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଶିକ୍ଷାଦାନର ପ୍ରାଥମିକ ମାଧ୍ୟମ ଭାବେ ଗ୍ରହଣ କରାଯାଇ ଜାରି ରଖାଯିବ ଓ ଉତ୍ସାହିତ କରାଯିବ। ଯେଉଁଠି ସ୍କୁଲଗୁଡ଼ିକ ଅନଲାଇନ କ୍ଲାସ ଆୟୋଜନ କରୁଛନ୍ତି ଏବଂ କିଛି ପିଲା ବ୍ୟକ୍ତିଗତ ଭାବେ ସ୍କୁଲକୁ ଆସିବା ବଦଳରେ ଅନଲାଇନ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସେଥିନିମନ୍ତେ ଅନୁମତି ଦିଆଯିବ। ବାଧ୍ୟତାମୂଳକ ଭାବେ ଆଟେଣ୍ଡାନ୍ସ (ଶ୍ରେଣୀରେ ଉପସ୍ଥିତି) ଲାଗୁ କରାଯିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଅଭିଭାବକମାନଙ୍କ ଅନୁମତି ଉପରେ ନିର୍ଭର କରିବ।
୬. ଅକ୍ଟୋବର ୧୫ ପରେ ସ୍କୁଲ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ସଂକ୍ରାନ୍ତରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପି ଉପରେ ଆଧାରିତ ସେମାନଙ୍କର ନିଜସ୍ୱ ଏସଓପି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପ୍ରସ୍ତୁତ କରିବେ, ଏଥିରେ ସ୍ଥାନୀୟ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯିବ। ଅଭିଭାବକମାନଙ୍କ ଠାରୁ ଲିଖିତ ଅନୁମତି ଆଣିବା ପରେ ଯାଇ ଛାତ୍ରଛାତ୍ରୀ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ଆସିପାରିବେ। ୭. ସାମାଜିକ, ସାଂସ୍କୃତିକ, କ୍ରୀଡା, ଧାର୍ମିକ ଏବଂ ରାଜନୈତିକ ସମାବେଶ ହୋଇପାରିବ।
୮. କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ସାମାଜିକ / ଶିକ୍ଷାଗତ / କ୍ରୀଡ଼ା / ମନୋରଞ୍ଜନ / ସାଂସ୍କୃତିକ / ଧାର୍ମିକ / ରାଜନୈତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସମାବେଶ ପାଇଁ ୧୦୦ ଜଣ ମଧ୍ୟରେ ଲୋକଙ୍କ ସମାବେଶକୁ ପୂର୍ବରୁ ଅନୁମତି ଦିଆଯାଇସାରିଛି। ଏଣିକି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏପରି ସମାବେଶରେ ୧୦୦ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ନିମନ୍ତେ ଅନୁମତି ଦେଇପାରିବେ।
୯. କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ୩୨ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲକଡାଉନ ଜାରି କରାଯିବ।
୧୦. ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଜନସାଧାରଣଙ୍କ ଯାତାୟାତ ଓ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ। ଏପରି ଯାତାୟାତ ନିମନ୍ତେ କୌଣସି ଭିନ୍ନ ଅନୁମତି/ଅନୁମୋଦନ/ଇ-ପରମିଟ ଆବଶ୍ୟକ ପଡ଼ିବ ନାହିଁ।