ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ, ସବୁଠି ବର୍ଷାର ପ୍ରକୋପ ଦେଖାଦେବ। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ।
ଏହାର ପ୍ରକୋପରେ ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଞ୍ଜାମ, ଅନୁଗୋଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ବୌଦ୍ଧ ଓ ଖୋର୍ଦ୍ଧାରେ ବି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଏହି ଲଘୁଚାପ ପ୍ରକୋପରେ ଟ୍ୱିନ ସିଟିରେ ଲାଗି ରହିଛି ପ୍ରବଳ ବର୍ଷା। ବିଶେଷ କରି ଦିନ ୧୦ଟା ଯାଏଁ କଟକ ଓ ଭୁବନେଶ୍ୱରରେ ଘଣ୍ଟାକୁ ୨ ରୁ ୩ ସେମି ବର୍ଷିବ। ତେଣୁ ଯଥାସମ୍ଭବ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ରାତିରୁ ଏଠାରେ ପ୍ରବଳ ବର୍ଷା ଲାଗି ରହିଛି।
ଜଳବନ୍ଦୀ ସମସ୍ୟା, ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି)ଙ୍କ ପକ୍ଷରୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏଥିପ୍ରତି ଦୃଷ୍ଟି ଦେବେ। କଣ୍ଟ୍ରୋଲ ରୁମ ୨୪ ଘଣ୍ଟା ଧରି ଖୋଲା ରଖିବେ।
ତେବେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟ ମଧ୍ୟରେ ସମୁଦ୍ରକୁ ନ ଯିବାକୁ ଉଭୟ ପାଣିପାଗ ବିଭାଗ ଓ ଏସଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ମୁତାବକ, ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଜି ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିଥିଲା। ଏହା ଧୀରେ ଧୀରେ ଓଡ଼ିଶା ଉପକୂଳ ନିକଟତର ହେବ। ଅକ୍ଟୋବର ୪ରେ ଓଡ଼ିଶା ଉପକୂଳ ଅତିକ୍ରମ କରି ସ୍ଥଳ ଭାଗକୁ ଗତି କରିବ। ଫଳରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ।
ଏହାଛଡ଼ା ଆସନ୍ତା ୭ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ବା ଆଣ୍ଡାମାନ ସାଗରରେ ମିଆଁମାର ଉପକୂଳ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ମୁହାଁଇପାରେ। ଏହାଫଳରେ ରାଜ୍ୟରେ ଅଧିକ ତିନିଦିନ ବର୍ଷା ହୋଇପାରେ। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୫ତାରିଖ ସୁଦ୍ଧା ଏହାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ।