ଉତ୍ତର-ପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳ ବିଶେଷକରି ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨୦ ଜିଲ୍ଲାରେ ପ୍ରବଳ ବର୍ଷିବାକୁ ଥିବା ବେଳେ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ଗୁଡିକ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି SRC।
ଜଳବନ୍ଦୀ ସମସ୍ୟା, ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି)ଙ୍କ ପକ୍ଷରୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଏଥିପ୍ରତି ଦୃଷ୍ଟି ଦେବେ।
ଏଥିରେ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ବଲାଙ୍ଗିର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଅନୁଗୁଳ, କଟକ, ପୁରୀ, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ତେବେ ରାଜଧାନୀରେ ବୁଧବାରଠାରୁ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଜାରି ରହିଛି। ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏସଆରସିର କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କୁ ସତର୍କ କରାଯାଇଛି।