ଆସୁଛି ଆଉ ଏକ ଲଘୁଚାପ, ୨୦ରୁ ସାରା ଓଡ଼ିଶାରେ ବର୍ଷିବ।

ଆସୁଛି ଆଉ ଏକ ଲଘୁଚାପ। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ତ୍ତମାନ ୩ରୁ ୪ ଦିନ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। କିନ୍ତୁ ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହେବ। ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ୨୦ ଓ ୨୧ ତାରିଖରେ ଲଗାଣ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୧୩ ତାରିଖ ଦିନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ଏବେ ଦୁର୍ବଳ ହୋଇଯାଇଛି। ତେଣୁ ଆସନ୍ତା ୩ ଦିନ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଗ ଶୁଖିଲା ଓ ଖରାଟିଆ ରହିବ। ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିବ। ୩ ଦିନ ପର୍ଯ୍ୟନ୍ତ ଲଗାତାର ଏପରି ସ୍ଥିତି ଲାଗି ରହିବା ପରେ ୧୯ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବ। ତେବେ ଆସନ୍ତା ୨୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ରାଜ୍ୟ ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ଏଥିସହିତ ଉତ୍ତର ଓଡ଼ିଶାରେ ସ୍ଥାନେ ସ୍ଥାନେ ଝଡ଼ ତୋଫାନ ସହିତ ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ୩୭ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ାରେ ୨୪ ମିଲିମିଟର, ବାଲେଶ୍ୱର ଓ ପଟ୍ଟାଙ୍ଗୀରେ ୨୨ ମିଲିମିଟର, କରଞ୍ଜିଆରେ ୧୯ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ଼ କରିଛି ରାଜ୍ୟ ଜଳସମ୍ପଦ ବିଭାଗ। ସେହିପରି ସୋମବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମିନିଟ ମଧ୍ୟରେ ବାଲେଶ୍ୱରରେ ୨୧ ମିଲିମିଟର, ଭବାନୀପାଟଣା,ଦାରିଙ୍ଗବାଡ଼ି, ବୌଦ୍ଧରେ ୧୦ ମିଲିମିଟର, ଅନୁଗୁଳରେ ୬ ମିଲିମିଟର ଓ ତାଳଚେରରେ ୫ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

Leave a Reply

Your email address will not be published. Required fields are marked *