ଆଜି ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ତିନି ଦିନ ବର୍ଷାର ସମ୍ଭାବନା ରହିଛି। ତେବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି।
ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ରବିବାର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଏହିସବୁ ଜିଲ୍ଲା ଗୁଡିକରେ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଦୁର୍ବଳ ମୌସୁମୀ କାରଣରୁ ରାଜ୍ୟର ଅନ୍ୟ ଅଞ୍ଚଳ ଗୁଡିକ ଶୁଖିଲା ଏବଂ ଖରାଟିଆ ରହିବ। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ।
ସେହିପରି ଶ୍ରୀ ବିଶ୍ବାସଙ୍କ ସୂଚନାନୁଯାୟୀ, ୧୪ ତାରିଖ ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ବର୍ଷାର ସମ୍ଭାବନା ରହିଛି। ବାକି ସ୍ଥାନରେ ବର୍ଷା କମ୍ ରହିବ। କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ଏହିଦିନ ମଧ୍ୟ ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। କିନ୍ତୁ ୧୩ ତାରିଖଠାରୁ ବର୍ଷାର ପରିମାଣ କମ୍ ରହିବ। ୧୫ ଓ ୧୬ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଲଘୁଚାପର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବନାହିଁ। ପାଗ ଶୁଖିଲା ରହିବ ଓ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ, ତେବେ ଆସନ୍ତା ସପ୍ତାହରେ ବର୍ଷା ସ୍ୱାଭାବିକଠାରୁ ୪୦ରୁ ୫୦ ପ୍ରତିଶତ କମିଯିବାର ସମ୍ଭାବନା ରହିଛି। ରାଜ୍ୟରେ ସେପ୍ଟେମ୍ବର ୧୨ତାରିଖ ସୁଦ୍ଧା ମାତ୍ର ୫୩ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୪୫ ପ୍ରତିଶତ କମ ବୋଲି ସେ କହିଛନ୍ତି।
ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାର କୋସାଗୁମଡ଼ାରେ ସର୍ବାଧିକ ୮୯.୦ ମିମି ବର୍ଷା ରେକର୍ଡ ହୋଇଛି। ଦେବଗଡ଼ ରିଆମାଳରେ ୫୬.୦ ମିମି, ନବରଙ୍ଗପୁର ଜିଲ୍ଲା ରାଇଘରରେ ୫୫.୦ ମିମି, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୪୬.୦ମିମି ଓ କନ୍ଧମାଳ ଦାରିଙ୍ଗବାଡ଼ିରେ ୩୬.୦ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।