ବେକାରୀ ସମସ୍ୟାକୁ ଦୁର କରିବା ପାଇଁ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କରୋନା ମହାମାରୀ ପ୍ରଭାବରୁ ଚାକିରି ହରାଇଥିବା ଶିଳ୍ପ କ୍ଷେତ୍ରର ଶ୍ରମିକମାନଙ୍କୁ ମିଳିବ ବେକାରି ଭତ୍ତା। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଜରିଆରେ ଏହାର ସଦସ୍ୟମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। ଏଥିପାଇଁ ଶ୍ରମିକ ମାନଙ୍କୁ ଇଏସଆଇସି ବା ରାଜ୍ୟ ବୀମା ନିଗମ ଶାଖାରେ ଆବେଦନ କରିବାକୁ ପଡ଼ିବ। ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାର ଅଂଶ ଭାବେ ବେକାର ହୋଇପଡ଼ିଥିବା ଶ୍ରମିକଙ୍କୁ ଭତ୍ତା ମିଳିବ। ଏହାର ବିଜ୍ଞପ୍ତିକୁ ଆଜି କେନ୍ଦ୍ର ସରକାର ଜାରି କରିଛନ୍ତି। ବେକାରି ଭତ୍ତା ଭାବେ ଶ୍ରମିକମାନଙ୍କୁ ନିଜ ବେତନର ୫୦ ପ୍ରତିଶତ ରାଶି ପ୍ରଦାନ କରାଯିବ। ଏହି ଯୋଜନା ଦ୍ବାରା ଇଏସଆଇସିର ସଦସ୍ୟ ଥିବା ପ୍ରାୟ ୪୦ ଲକ୍ଷ ଶ୍ରମିକ ଉପକୃତ ହେବେ।
ଏହି ଯୋଜନାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାର ବେକାର ହୋଇପଡ଼ିଥିବା ଶ୍ରମିକମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ବେକାରି ଭତ୍ତା ପ୍ରଦାନ କରିବେ ବୋଲି କହିଛନ୍ତି। ଏହି ଯୋଜନା ଅଧୀନରେ ଯେଉଁ ଶ୍ରମିକମାନେ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ଭିତରେ ନିଜର ଚାକିରି ହରାଇଛନ୍ତି ବା ହରାଇବେ ସେମାନଙ୍କୁ ଏହି ଭତ୍ତା ପ୍ରଦାନ କରାଯିବ। ଇଏସଆଇସିର ସଦସ୍ୟ ଥିବା ଯେଉଁ ଶ୍ରମିକମାନେ ନିଜର ଚାକିରି ହରାଇଛନ୍ତି ସେମାନେ ବେକାରି ଭତ୍ତା ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ହାରାହାରି ବେତନର ୫୦ ପ୍ରତିଶତ ରାଶି ଭତ୍ତା ଆକାରରେ ଦିଆଯିବ। ତେବେ ପୂର୍ବରୁ ଏହାର ସୀମା ୨୫ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା। ଏହି ଯୋଜନାକୁ ଚଳିତ ବର୍ଷ ଜୁଲାଇରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି।
ଏହି ଯୋଜନା ଦ୍ବାରା ମୋଟ ୪୧,୯୪,୧୭୬ ଜଣ ଶ୍ରମିକ ଲାଭବାନ ହୋଇପାରିବେ। ତେବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଇଏସଆଇସିକୁ ୬୭୧୦.୬୮ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଇଏସଆଇସି ହେଉଛି ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂସ୍ଥା ଯାହା ମାସିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ଶ୍ରମିକମାନଙ୍କୁ ଇଏସଆଇ ସ୍କିମ ଅଧୀନରେ ବୀମା ସୁବିଧା ଯୋଗାଇ ଦେଉଛି।
ଏହି ଯୋଜନା ଅନ୍ତର୍ଭୁକ୍ତ ଲାଭ ପାଇବାକୁ ହେଲେ ବେକାର ହୋଇଥିବା କର୍ମଚାରୀମାନଙ୍କୁ ଇଏସଆଇସି ଶାଖାରେ ପହଞ୍ଚି ଆବେଦନ କରିବାକୁ ପଡ଼ିବ। ଶ୍ରମିକଙ୍କ ଦ୍ୱାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଆବେଦନକାରୀଙ୍କ ବ୍ୟାଙ୍କ ଖାତାରେ ଭତ୍ତା ବାବଦରେ ଟଙ୍କା ଜମା କରିଦିଆଯିବ। ଏଥିପାଇଁ ଆଧାର ନମ୍ବରର ସହାୟତା ନିଆଯିବ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ରିପୋର୍ଟ ମୁତାବକ, ପ୍ରାୟ ୧.୯ କୋଟି ଲୋକ ନିଜର ଚାକିରି ହରାଇଛନ୍ତି। କେବଳ ଜୁଲାଇରେ ହିଁ ୫୦ ଲକ୍ଷ ଲୋକଙ୍କ ଚାକିରି ଚାଲିଯାଇଛି।