ସାଂସଦ ଅନୁଭବ ମହାନ୍ତିଙ୍କ କଳା କାରନାମା ଉପରୁ ପରଦା ଉଠାଇଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ, ଛାଡପତ୍ରକୁ ନେଇ ଧମକ ଦେଉଥିଲେ ଅନୁଭବ।

ଓଲିଉଡ ସୁପର୍‌ଷ୍ଟାର ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଏବଂ ଓଡ଼ିଆ ଫିଲ୍ମ ଜଗତର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ପ୍ରସଙ୍ଗକୁ ନେଇ ଅନେକ ଚର୍ଚ୍ଚା ହେଉଛି। କୋର୍ଟରେ ବର୍ଷା ଦାଖଲ କରିଥିବା ପିଟିସନ ଅନୁଭବ ଏବଂ ବର୍ଷାଙ୍କ ବ୍ୟକ୍ତିଗତ ଜୀବନର ଗୁମର ଖୋଲି ଦେଇଛି। ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ବର୍ଷା ନିଜ ପିଟିସନରେ ଲେଖିଛନ୍ତି ଯେ, ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଡିଭୋର୍ସର ଧମକ ଦେଉଥିଲେ। ଜୁନ ୧୧ ତାରିଖରେ ଛାଡପତ୍ର ଦେବାକୁ ଅନୁଭବ ଧମକ ଦେଇଥିବାର ବର୍ଷା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ସେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଛନ୍ତି।

ବର୍ଷା କଟକ ଏସଡିଜେଏମ ଅଦାଲତରେ ସ୍ବାମୀ ଅନୁଭବଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିବା ସହ ଭରଣପୋଷଣ ବାବଦରେ ଅର୍ଥ ଦାବି କରିଛନ୍ତି। ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ସହ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା। କେବଳ ସେତିିକି ନୁହେଁ, ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ବିରୋଧରେ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିବା ସହ ସୁରକ୍ଷା ମଧ୍ୟ ଚାହିଁଛନ୍ତି ।

ଅଭିଯୋଗରେ ବର୍ଷା ଲେଖିଛନ୍ତି, ଅନୁଭବ ଜଣେ ମଦ୍ୟପ। ମଦ ପିଇବା ପରେ ସେ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥାନ୍ତି। ଅନୁଭବ ନିଜ ଶୟନକକ୍ଷରେ ବର୍ଷାଙ୍କ ଉପସ୍ଥିତରେ ସାଙ୍ଗ ସାଥୀଙ୍କ ସହିତ ମଦ ପିଇଥାନ୍ତି। ଅନୁଭବଙ୍କ ପିତାମାତା ଏବିଷୟରେ ଅବଗତ ଥାନ୍ତି। ବର୍ଷା ଏଥିରେ ବିରୋଧ କଲେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ହାତରେ ଏବଂ ବାଡ଼ିରେ ମଧ୍ୟ ପିଟିଥାନ୍ତି। ଏପରିକି ଅନୁଭବଙ୍କ ବାପାମାଆ ବର୍ଷାଙ୍କୁ ଅନୁଭବଙ୍କ ଫିଲ୍ମ ଜୀବନରେ ହସ୍ତକ୍ଷେପ ନକରିବାକୁ କହି ଖୋଲାଖୋଲି ଧମକ ଦେଇଥିଲେ। ଉଭୟଙ୍କ ସମ୍ମାନ, ଶାଶୁ ଘର ଓ ବାପଘରର ଇଜ୍ଜତକୁ ଦୃଷ୍ଟିରେ ରଖି ଏସବୁ ନିର୍ଯାତନାକୁ ବର୍ଷା ଯାଉଥିବାର ପ୍ରକାଶ କରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଭୟ ସୁପରଷ୍ଟାର ହୋଇଥିବାରୁ ବର୍ଷା ସମ୍ମାନ ପ୍ରତି ବହୁତ ସଚେତନ ରହୁଥିଲେ। କିନ୍ତୁ ଅନୁଭବ ଏବଂ ତାଙ୍କ ପରିବାର ବର୍ଷାଙ୍କୁ ପଶୁଙ୍କ ପରି ଦୁର୍ବ୍ୟବହାର କରୁଥିଲେ। ଏସବୁ ପରେ ମଧ୍ୟ ବର୍ଷା ପରିବାର ବଢାଇବାର ଯୋଜନା କରୁଥିବା ବେଳେ ଅନୁଭବ ପ୍ରତ୍ୟେକ ରାତିରେ ମଦ ପିଇ ଏହାକୁ ଅଣଦେଖା କରି ଆସୁଥିଲେ ବୋଲି ଲେଖିଛନ୍ତି ବର୍ଷା। ସେପଟେ ଏନେଇ ସାଂସଦ ଅନୁଭବ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏଯାଏ କୌଣସି ଲିଗାଲ ନୋଟିସ ମିଳିନାହିଁ । ଯଦି ନୋଟିସ ଆସେ ସେ ସମସ୍ତଙ୍କୁ ଜଣାଇବେ। ତେବେ ସୂଚନାଯୋଗ୍ୟ ଯେ ବର୍ଷା ଏବେ ମଧ୍ୟ ଅନୁଭବଙ୍କ ଘରେ ହିଁ ଅଛନ୍ତି।

ସରକାରୀ ୱେବସାଇଟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ମାମଲାର ପଞ୍ଜିକରଣ ସଂଖ୍ୟା ସିଆରଏଲଏମସି ନଂ ୯୪/୨୦୨୦ ହୋଇଥିବା ବେଳେ ଏହା ଅଗଷ୍ଟ ୭ ତାରିଖ ଦିନ ପଞ୍ଜିକୃତ ହୋଇଛି। ପ୍ରୋଟେକସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨,୧୭, ୧୮, ୧୯, ୨୦ ଓ ୨୨ରେ ମକଦ୍ଦମା ଦାୟର ହୋଇଛି । ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ସ୍ଥିରୀକୃତ ହୋଇଛି।

Leave a Reply

Your email address will not be published. Required fields are marked *