ଭାରତ ଏବଂ ଚୀନର ସୀମାରେ ସ୍ଥିତି ଲଗାତର ବିଗିଡିବାରେ ଲାଗିଛି। ଜୁନ ମାସ ୧୫ ପରେ ଏବେ ପୁଣି ଥରେ ଚୀନ ସେନା ସୀମା ଅତିକ୍ରମ କରିବା ପାଇଁ ଉଦ୍ୟମ କରିଛନ୍ତି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅଗଷ୍ଟ ୩୦ ରାତିରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ। ଚୀନ ସେନା ସ୍ଥିତି ପରିବର୍ତ୍ତନ କରିବା ସହ ଉତ୍ତେଜକ ସାମରିକ ଗତିବିଧି ଆରମ୍ଭ କରିଥିଲା, ଯାହାକୁ ଭାରତୀୟ ସେନାର ଯବାନମାନେ ବିରୋଧ କରିଥିଲେ।
ଭାରତ ଏବଂ ଚୀନ ମଧ୍ୟରେ ବ୍ରିଗେଡ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଦ୍ୱିତୀୟ ରାଉଣ୍ଡ ଆଜି ଅନୁଷ୍ଠିତ ହୋଇଛି। ଚୀନ ସେନା ଦ୍ବିତୀୟ ଥର ଭାରତ ସୀମା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଜିର ଏହି ବୈଠକରେ ସେ ନେଇ ଆଲୋଚନା କରାଯିବ ବୋଲି ଜଣା ପଡ଼ିଛି। ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଯେ, ଆଜି ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଉପୁଜିଥିବା ପରିସ୍ଥିତି ସହ ଜଡିତ ଆଲୋଚନା ପାଇଁ ମୋଲଡୋରେ ବ୍ରିଗେଡ କମାଣ୍ଡର ସ୍ତରୀୟ ଆଲୋଚନା ପାଇଁ ଭାରତୀୟ ସେନା ଏବଂ ଚୀନ ସେନା ଏକାଠି ହୋଇଛନ୍ତି।
ଦକ୍ଷିଣ ପାଙ୍ଗୋଙ୍ଗ ହ୍ରଦରେ ଅତି କମରେ ଦୁଇଟି ବିବାଦୀୟ ଅଞ୍ଚଳ ରହିଛି, ଯାହା ଭାରତ-ଚୀନ ସାମରିକ ଆଲୋଚନାର ସାମିଲ ହୋଇପାରେ ବୋଲି ସୂଚନା ମିଳିଛି। ସୂଚନାନୁସାରେ, ଚୀନ ଚାହୁଁଛି ଯେ ଭାରତୀୟ ସେନା ନିର୍ଦ୍ଦିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରୁ, ଯାହା ବର୍ତ୍ତମାନ ଭାରତୀୟ ସେନା ଦ୍ୱାରା ଅଧିକୃତ। ସେପଟେ ଭାରତ ମଧ୍ୟ ବ୍ଲାକ ଟପ ଏବଂ ହେଲମେଟ ଟପ ପରି ଅଞ୍ଚଳରେ ଚାଇନାର ସୈନ୍ୟ ନିୟୋଜନ ନେଇ ଚିନ୍ତା ପ୍ରକଟ କରିଛି। ତେବେ ଚୀନର ପ୍ରାୟ ୫୦୦ ସୈନିକ ଭାରତ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା କଥା ଭାରତୀୟ ସେନା ପକ୍ଷରୁ କୁହାଯିବା ପରେ ଏ ନେଇ ଆଲୋଚନା କରିବା ପାଇଁ ଆଜି ଏହି କମାଣ୍ଡର ସ୍ତରୀୟ ବୈଠକ ଚାଲିଛି।
ତେବେ ବର୍ତ୍ତମାନ ଉଭୟ ପକ୍ଷରୁ ସୈନ୍ୟ ମୁତୟନକୁ ବଢ଼ାଇ ଦିଆ ଯାଇଛି। ବର୍ତ୍ତମାନ ଭାରତ ଏବଂ ଚୀନ ନିଜ ନିଜର ପକ୍ଷରେ ଟ୍ୟାଙ୍କ ମୁତୟନ କରିଦେଇଛନ୍ତି। ଯାହା ଏମିତି ସ୍ଥାନରେ ରହିଛି ଯେଉଁଠାରୁ ଫାଇରିଙ୍ଗ କରାଯାଇ ପାରିବ।