ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର ଦିନ ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମସ୍ତିଷ୍କରେ ଅସ୍ତ୍ରୋପଚାର ପରେ ଚିକିତ୍ସାଧିନ ଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ତାଙ୍କ ପୁଅ ଅଭିଜୀତ ମୁଖାର୍ଜୀ ଟ୍ୱିଟ କରି ଏବିଷୟରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଅନେକ ଦିନରୁ ପ୍ରଣବ ମୁଖାର୍ଜୀଙ୍କର ସ୍ଥିତି ଅଧିକ ବିଗିଡି ଯାଇଥିଲା। ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ରହିଥିଲେ।
୮୪ ବର୍ଷୀୟ ବୟସର ପ୍ରଣବ ଦା’ଙ୍କର ୧୦ ଅଗଷ୍ଟକୁ ମସ୍ତିଷ୍କର ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତର ମାନେ ସର୍ଜରୀ କରି ରକ୍ତ ଜମାଟକୁ ହଟାଇ ଦେଇଥିଲେ। ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲରେ ତାଙ୍କର ବ୍ରେନ ସର୍ଜରୀ ହୋଇଥିଲା। ସେ କରୋନା ମହାମାରୀରେ ମଧ୍ୟ ସଂକ୍ରମିତ ଥିଲେ। ସେ ୧୧ ଡିସେମ୍ବର ୧୯୩୫ ମସିହାରେ ପଶ୍ଚିମ ବଙ୍ଗର ମିରାଟି ନାମକ ଏକ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଣବ ମୁଖାର୍ଜୀ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ହୋଇଥିଲେ।
୧୯୬୯ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ସେ ହୋଇଥିଲେ । ୧୯୬୯ରୁ ୨୦୦୨ ପର୍ଯ୍ୟନ୍ତ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୪- ୧୨ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୮୪ ରାଜ୍ୟସଭା ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୧ରୁ ୯୬ ପ୍ଲାନିଂ କମିଶନ ଉପାଧ୍ୟକ୍ଷ ଥିଲେ । ଏହାସହ ୨୦୦୬-୦୯, ୧୯୯୫-୯୬ ଦୁଇ ଥର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୪-୦୬ ପ୍ରତି ରକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯-୧୨, ୧୯୮୨-୮୪ ଦୁଇଥର ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ପ୍ରଣବ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି କହିଛନ୍ତି ଯେ, “ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ହୃଦୟ ଭାଙ୍ଗି ପଡ଼ିଲା। ତାଙ୍କର ମୃତ୍ୟୁ ଏକ ଯୁଗର ଶେଷ। ମୁଁ ଶ୍ରୀ ପ୍ରଣବ ମୁଖାର୍ଜୀଙ୍କର ପରିବାର, ବନ୍ଧୁ ଏବଂ ସମସ୍ତ ଦେଶବାସୀଙ୍କୁ ମୋର ଗଭୀର ସମବେଦନା ଜଣାଉଛି।”