ସ୍ଥଳଭାଗକୁ ମୁହାଁଉଛି ଦୁଇଟି ବଡ଼ ବାତ୍ୟା। ହରିକେନ ମାର୍କୋ ଏବଂ ଟ୍ରପିକାଲ ଷ୍ଟର୍ମ ଲୋରା ଏବ ବର୍ତ୍ତମାନ ସ୍ଥଳଭାଗକୁ ମୁହାଁଇଛି। ଏହାର ପ୍ରଭାବରେ ପବନର ବେଗ ବୃଦ୍ଧି ପାଇଛି। ପରିସ୍ଥିତିର ସାମ୍ନା କରିବା ପାଇଁ ଉପକୂଳବର୍ତ୍ତୀ ଲୋକ ମାନଙ୍କୁ ସ୍ଥାନାନ୍ତରିତ କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। କରୋନା ଆତଙ୍କ ମଧ୍ୟରେ ଏହି ଦୁଇଟି ବାତ୍ୟା ଆମେରିକା ଉପରେ ବହୁତ ବଡ଼ ଦାଉ ସାଧିଛି।
ବାତ୍ୟା ପ୍ରଭାବରେ ଆମେରିକାର ପୁଏରଟୋ ରିକୋଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ମାର୍କୋ ସୋମବାର ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଉଛି। ସେହିପରି ଲୋରା ଗୁରୁବାର ଦିନ ଟେକ୍ସସ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆମେରିକା ଇତିହାସର ଏପରି ପ୍ରଥମଥର ପାଇଁ ହେଉଛି ଯେ, ଲଗାତର ଭାବରେ ଗୋଟିଏ ପରେ ଗୋଟିଏ ଦୁଇ ଦିନ ଅବଧି ଭିତରେ ଦୁଇଟି ବାତ୍ୟା ସ୍ଥଳଭାଗ ଛୁଇଁବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍ଘୀୟ ବ୍ୟବସ୍ଥାରେ ଏହାର ମୁକାବିଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ଏହାଛଡା ଲୋଉସିଆନାରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ରହିଛି।
ବାତ୍ୟା ମାର୍କୋ ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୩୦ କିମି ରୁ ଆହୁରି ଅଧିକ ରହିଛି। ସ୍ଥାନୀୟ ସମୟ ଅନୁଯାୟୀ ଦେଶର ଉପକୂଳ ଲୋସିଆନାରେ ବାତ୍ୟା ମାର୍କୋ ଲ୍ୟାଣ୍ଡଫଲ୍ କରିବାର ଅନୁମାନ କରାଯାଉଛି। ଏହି ଅଞ୍ଚଳରେ ବାତ୍ୟାର ପ୍ରଭାବ ଧୀରେ ଧୀରେ ବଢୁଥିବାର ଦେଖିବାକୁ ମିଳିଛି। ଡୋମିନିକାନ ରିପବ୍ଲିକରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦ ଲକ୍ଷ ଲୋକ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହୋଇଯାଇଛନ୍ତି।
ସେପଟେ ହାଇଟିରେ ବନ୍ୟାର ସ୍ଥିତି ଉପୁଜିବା ସହିତ ୫ ଜଣଙ୍କର ପ୍ରାଣହାନୀ ହୋଇଛି। ୟୁଏସ କୋଷ୍ଟ ଗାର୍ଡ ମାନଙ୍କୁ ବାତ୍ୟାକୁ ଲକ୍ଷ୍ୟ ରଖି ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଜାହାଜ ଗୁଡ଼ିକୁ ମଧ୍ୟ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।