ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି। ୫ଟି ଜିଲ୍ଲାକୁ ଅତି ପ୍ରବଳ ବୃଷ୍ଟିପାତ ହେବା ସହିତ ଘର ଭାଙ୍ଗିବା, ମାଟି ଅତଡ଼ା ଖସିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ଲଘୁଚାପ ୱେଲମାର୍କର ରୂପ ନେଇଛି । ଏହା ବର୍ତ୍ତମାନ ଉତ୍ତର- ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି।
ପ୍ରବଳ ବର୍ଷାକୁ ଲକ୍ଷ୍ୟରଖି ୫ଟି ଜିଲ୍ଲାରେ ରେଡ ୱାର୍ନିଙ୍ଗ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାରେ ଅରେଞ୍ଜ ୱାର୍ନିଙ୍ଗ ଏବଂ ୭ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।
ଅତ୍ୟଧିକ ବର୍ଷା କାରଣରୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଏବଂ ଦେବଗଡ଼ ଜିଲ୍ଲା ଗୁଡିକରେ ରେଡ ୱାର୍ନିଙ୍ଗ ଜାରି କରାଯାଇଛି। ରେଡ ୱାର୍ନିଙ୍ଗ ଜାରି କରାଯାଇଥିବା ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି
ସେହିପରି ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଏବଂ ମୟୁରଭଞ୍ଜ ଆଦି ଜିଲ୍ଲା ଗୁଡିକ ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି। କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ଵର ପାଇଁ ମଧ୍ୟ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ପୁଣି ୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ପରିଣାମସ୍ବରୂପ ରାଜ୍ୟରେ ଆଉ କିଛିଦିନ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ଲାଗିରହିବ।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଯୋଗୁଁ ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ଆସନ୍ତା ୨୩ ତାରିଖରେ ଏହି ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପାହାଡ଼ିଆ ଅଞ୍ଚଳରେ ହଠାତ୍ ବନ୍ୟା ଆସିବା ସହ ମାଟି ଧସିବା ଆଶଙ୍କା ଅଛି। ଯୋଗାଯୋଗ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର୍, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି। ଡ୍ରେନେଜ ଚ୍ୟାନେଲ୍ ସଫା କରିବା ସହ ଦୁର୍ବଳ ନଦୀ ବନ୍ଧ ମରାମତି ପାଇଁ କୁହାଯାଇଛି। ଉଦ୍ଧାର ଓ ଥଇଥାନ କାର୍ଯ୍ୟ ପାଇଁ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖିବା ଏସ୍ଆରସି ନିର୍ଦେଶ ଦେଇଛନ୍ତି।