ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ। ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଓ ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ତେବେ ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ ମିଲି ମିଟର ରୁ ୭.୬ କିଲୋମିଟର ଉପରେ ରହିଅଛି। ଯାହାର ପ୍ରଭାବରେ ଆସନ୍ତାକାଲି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟେରେ ଏହା ଅଧିକ ଘନିଭୂତ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି।
ଏହା ଲଘୁଚାପରେ ପରିଣତ ହୋଇ ପଶ୍ଚିମ ମୁହାଁ ହେବ। ମୌସୁମୀ ଟ୍ରପ ବର୍ତ୍ତମାନ ବିକାନିର, ଗ୍ବାଲିଅର, ରାଞ୍ଚି ଓ ବଙ୍କୁରା ଦେଇ ଦକ୍ଷିଣ-ପୂର୍ବମୁହାଁ ହୋଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ରହିଛି। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବର୍ଷା ଲାଗି ରହିବ । ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଛି। ଏନେଇ ସମ୍ପୃକ୍ତ ଜିଲ୍ଲା ଗୁଡିକରେ ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି।
ଅନ୍ୟ ପକ୍ଷରେ ଲଗାଣ ବର୍ଷାକୁ ଲକ୍ଷ୍ୟ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା। ଯେଉଁ ଜିଲ୍ଲା ଗୁଡିକ ପାଇଁ ୟେଲୋ ଓ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି ସେମାନଙ୍କର ଜଳବନ୍ଦୀ ଏବଂ ବନ୍ୟାସ୍ଥିତି ପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ମଧ୍ୟ କୁହାଯାଇଛି। ଲଗାଣ ବର୍ଷା ପୂର୍ବାନୁମାନ ପରେ ପୁଣି ଥରେ ବନ୍ୟାକୁ ନେଇ ଚିନ୍ତା ବଢ଼ିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମହାନଦୀ ଫୁଲିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଉତ୍ତର ଓଡ଼ିଶା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଏବଂ ଜଳକା ନଦୀ ଉଛୁଳିବା ସହ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ, ବୁଧବାର ରାଜ୍ୟର ୧୨ ଗୋଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, କେନ୍ଦୁଝର, ଯାଜପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡା଼ ଓ ସୋନପୁରର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅନୁଗୁଳ, ଦେବଗଡ଼, ସମ୍ବଲପୁରର କେତେକ ଜାଗାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ଏଣୁ ପାଣିପାଗ କେନ୍ଦ୍ର ତରଫରୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି। ଲଗାଣ ବର୍ଷାରେ ତଳ ଇଲାକାରେ ପାଣି ପଶିବା ସହ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ।
ଏହାଛଡା ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି ଓ କୋରାପୁଟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ (ଗୁରୁବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏହି ସମୟରେ ଉତ୍ତର ବଙ୍ଗୋପସାଗରର ଓଡିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୪୫ ରୁ ୫୫ ମିଲିମିଟର ବେଗରେ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
୨୧ ତାରିଖ ବେଳକୁ ବର୍ଷା କମିବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁ ୨୦ ଓ ୨୧ରେ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହା ଫଳରେ ମହାନଦୀ ଜଳସ୍ତର ଫୁଲିପାରେ। ୧୯ ଓ ୨୦ରେ ଦକ୍ଷିଣରେ ଋଷିକୂଲ୍ୟା ନଦୀ ଜଳସ୍ତର ବଢ଼ିବା ସମ୍ଭାବନା ଅଛି। ସେହିପରି ୨୦ ଓ ୨୧ରେ ବୁଢ଼ାବଳଙ୍ଗ, ବ୍ରାହ୍ମଣୀ ନଦୀ ଜଳସ୍ତର ବଢ଼ିପାରେ। ଦୁଇଦିନ ତଳର ସ୍ଥିତି ତୁଳନାରେ ବର୍ତ୍ତମାନ ସବୁ ନଦୀରେ ଜଳ ସ୍ତର କମିଛି। ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍କୁ ଆଜି ବନ୍ଦ କରାଯାଇଛି। ଏବେ ୧୮ଟି ଗେଟ୍ ଖୋଲା ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨,୬୩,୩୮୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨,୯୧,୯୮୫ କ୍ୟୁସେକ ଜଳ ଛଡ଼ାଯାଉଛି। ତେବେ ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳସ୍ତର କମୁଛି।