ବିଦ୍ୟୁତ ସଂଯୋଗ ଓ ବିଦ୍ୟୁତ ଯୋଗାଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଗୁଡିକ ଖୁବଶୀଘ୍ର ଅନଲାଇନ ହେବାକୁ ଯାଉଛି। ଏହି କାର୍ଯ୍ୟ ଗୁଡିକ ପାଇଁ ଆଉ ଆମ ମାନଙ୍କୁ ବିଦ୍ୟୁତ ଅଫିସ ଯିବାକୁ ପଡିବନି। ଏଣିକି ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହିସବୁ ସେବା ଗୁଡ଼ିକୁ ଅନଲାଇନରେ ଉପଲବ୍ଧ ହୋଇପାରିବ। ଏଥିପାଇଁ ରାଜ୍ୟ ଶକ୍ତି ବିଭାଗର ପ୍ରଚେଷ୍ଟାରେ ଏକ ଅନଲାଇନ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହାର ସୂଚନା ମିଳିଛି। ତେବେ ଏହି ପୋର୍ଟାଲକୁ ସରଳ ଓ ଦ୍ଵିଭାଷୀ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ମଙ୍ଗଳବାର ଦିନ ଲୋକସଭା ଭବନରେ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସମାୟାନୁବାନ୍ଧିତ ଉତ୍ତମ ବିଜୁଳି ସେବା ଯୋଗଣରେ ପୋର୍ଟାଲର ପ୍ରୟୋଜନିୟତା ସମ୍ପର୍କରେ ଉପସ୍ଥାପନ କରିଥିଲେ। ପୋର୍ଟାଲର ବିଭିନ୍ନ ଦିଗକୁ ବିଚାର କରି ସାଧାରଣ ଲୋକଙ୍କ ପାଇଁ ଅଧିକ ସରଳ ଓ ସୁଗମ କରିବା ଏବଂ ସହଜରେ ବୁଝିବା ଦ୍ଵିଭାଷୀ ତଥା ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ମଧ୍ୟ ରଖାଯାଇଛି।
ସମୀକ୍ଷାରୁ ଜଣାପଡିଥିଲା ଯେ, ଏହି ପୋର୍ଟାଲରେ ବିଦ୍ୟୁତ ସଂଯୋଗ ଦେୟ ସବୁ ବିତରକ କମ୍ପାନୀ ଅଞ୍ଚଳରେ ସମାନ ରହିବ। ବିଦ୍ୟୁତ ଭିତ୍ତିଭୂମି ଥିବା ଅଞ୍ଚଳରେ ଘରୋଇ ଓ ୫ କିଲୋୱାଟ ପର୍ଯ୍ୟନ୍ତ ଲଘୁ ଉଦ୍ୟୋଗ ଉପଭୋକ୍ତା ମାନଙ୍କୁ ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ।
ବିଦ୍ୟୁତ ସଂଯୋଗ ସମ୍ବନ୍ଧିତ ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଭୟ ଉପଭୋକ୍ତା ଓ ସମ୍ପୃକ୍ତ ବିତରକ କମ୍ପାନୀ ଅଧିକାରୀଙ୍କୁ ଏସ.ଏମ.ଏସ ପଠାଇ ଦିଆଯିବ। ଅନଲାଇନ ଦରଖାସ୍ତ ଦାଖଲ କରିବା ପରେ ସଂଯୋଗ ଦେୟ ଚୁକ୍ତି ପତ୍ର, ବିଲ ଆଦି ସେହି ପୋର୍ଟାଲ ମାଧ୍ୟମରେ ମିଳିବ ଏବଂ ସେଥିରେ ବିଲ ପୈଠର ସୁବିଧା ମଧ୍ୟ ରହିବ। ଏହି ପୋର୍ଟାଲରେ ବିଶେଷ ଭାବରେ ବୁଦ୍ୟୁତ ଉପଭୋକ୍ତା ମାନଙ୍କ ଦ୍ୱାରା ଅଭିଯୋଗ ଦାଖଲ ଏବଂ ସେସବୁର ଆଶୁ ସମାଧାନ ସ୍ୱତନ୍ତ୍ର ସୁବିଧା ରହିବ।
ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ମଙ୍ଗଳବାର ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ୫-ଟି ସମ୍ପର୍କିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଦିବ୍ୟଶଙ୍କର କହିଥିଲେ ଯେ,ରାଜ୍ୟବାସୀ ଯେପରି ବିଦ୍ୟୁତ୍ ସେବା ପାଇବାରେ ବଞ୍ଚତ୍ତ ହେବେ ନାହିଁ, ସେହି ଦିଗରେ ବିଭାଗ ସଦାସର୍ବଦା ଯତ୍ନବାନ ହେବା ଆବଶ୍ୟକ । ଉପଭୋକ୍ତାଗଣ କିଭଳି ଅତି ସହଜରେ, ସ୍ବଳ୍ପ ସମୟରେ ନିଜ ଗୃହକୁ ବିଦ୍ୟୁତ ସଂଯୋଗ ପାଇବେ, ତା’ର ସରଳ ପ୍ରକ୍ରିୟାକରଣ ଏବଂ ବିଦ୍ୟୁତ୍ ଦେୟ ସଂଗ୍ରହ ଦିଗରେ ମଧ୍ୟ ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ତଥ୍ୟଗୁଡ଼ିକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
“ଓଡ଼ିଶା ବିଜୁ ସଂଯୋଗ” ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ କରି ଉପଭୋକ୍ତାମାନେ ୪୮ ଘଣ୍ଟାରେ ନୂତନ ବିଦ୍ୟୁତ ସଂଯୋଗ ପାଇପାରିବେ ଏବଂ ସେଗୁଡ଼ିକର ତଥ୍ୟ ୱେବ୍ ଓ ନିଜର ଅତ୍ୟାଧୁନିକ ମୋବାଇଲରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ । ରାଜ୍ୟର ସବୁ ଅଞ୍ଚଳର ଉପଭୋକ୍ତାଗଣ ଅନ୍ଲାଇନ୍ ଦ୍ୱାରା ନିଜର ମାସିକ ବିଦ୍ୟୁତ୍ ଦେୟ ପ୍ରଦାନ କରିପାରିବେ ।
ସଂପ୍ରତି ପ୍ରି ପେଡ୍ ୱାଲେଟ୍ ପ୍ରକ୍ରିୟାକରଣ କାର୍ଯ୍ୟ ଚାଲିଛି। ଏହା ଦ୍ୱାରା ଉପଭୋକ୍ତାମାନଙ୍କ ଗୃହକୁ ଯାଇ ବିଦ୍ୟୁତ ଦେୟ ସଂଗ୍ରହ ହେବ। ଉକ୍ତ ସମୟରେ ଅନ୍ଲାଇନ୍ ଅର୍ଥ ପୈଠ କଲେ ଅତିରିକ୍ତ ୨ ପ୍ରତିଶତ ଉପଭୋକ୍ତାଗଣ ପାଇପାରିବେ । ଉପଭୋକ୍ତାଗଣ ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ଅର୍ଥ ପାଇଠ କରିପାରିବେ ଏବଂ ନିଜର କାର୍ଡ ଜରିଆରେ ମଧ୍ୟ ବିଦ୍ୟୁତ ଦେୟ ପଇଠ କରିପାରିବେ।
ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଗୋଟିଏ ପ୍ରକାର ପାରିଶ୍ରମିକ ପ୍ରଦାନ କରାଯାଇ ବିଦ୍ୟୁତ୍ ଦେୟ ସଂଗ୍ରହ କରାଯିବାର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା। ଫୋନ୍ ଦ୍ୱାରା ୨୪ଘଣ୍ଟିଆ ଗ୍ରାହକମାନଙ୍କ ଅଭିଯୋଗ ଗ୍ରହଣ କରିବା ଏବଂ ସେଗୁଡ଼ିକର ସମାଧାନ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ସେ ନେଇ ମନ୍ତ୍ରୀ ଅବଗତ ହୋଇଥିଲେ।