ଦୁବାଇରୁ କେରଳ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୯୧ ଜଣ ଲୋକ ଯାତ୍ରା କରୁଥିଲେ। ସୂଚନା ମୁତାବକ ଲାଣ୍ଡିଙ୍ଗ ସମୟରେ ବିମାନଟି ରନୱେରୁ ବାହାରକୁ ଚାଲି ଯାଇଥିଲେ।
ଦୁବାଇରୁ କେରଳ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନ କେରଳର କୋଝିକୋଡ ଇଣ୍ଟରନ୍ୟାସନଲ ଏୟାରପୋର୍ଟ(କାରୀପୁର ଏୟାରପୋର୍ଟ) ପାଖରେ କ୍ରାସ୍ ହୋଇଯାଇଛି। ସୂଚନା ମୁତାବକ, ଏହି ବିମାନଟି ରନୱେରୁ ଖସଡି ଯିବା ପରେ ଘାଟିରେ ଯାଇ ପଡିଥିଲା ଯାହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ବିମାନଟିକୁ ଚଳାଉଥିବା ପାଇଲଟଙ୍କର ମୃତ୍ୟୁ ହୋଇଯାଇଛି। ଏହି ବିମାନଟିରେ ମୋଟ ୧୯୧ ଜଣ ଲୋକ ଯାତ୍ରା କରୁଥିଲେ। ଡ଼ାଇରେକ୍ଟର ଜେନେରାଲ ଅଫ ସିବିଲ ଏସୋସିଏସନ (DGCA) ଏହି ମାମଲାରେ ବିସ୍ତୃତ ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ ଯାଇ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଥିଲା।ଫାୟାର ବ୍ରିଗେଡ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ, ଏହି ବିମାନର ଉଡାଣ ସଂଖ୍ୟା IX1344 ଅଟେ। ଏହି ବିମାନ ଦୁବାଇରୁ ସନ୍ଧ୍ୟା ୪ ଘଣ୍ଟା ୪୫ ମିନିଟରେ ନିଜର ଉଡାଣ ଭରିଥିଲା। ବିମାନରେ ୧୮୪ ଜଣ ଯାତ୍ରୀ, ଦୁଇଜଣ ପାଇଲଟ ଏବଂ ମୋଟ ୬ ଜଣ କ୍ରୁ ମେମ୍ବର ଯାତ୍ରା କରୁଥିଲେ। ଦୁର୍ଘଟଣାରେ ବିମାନ ଚଳାଉଥିବା ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି।
ଦୁଇଟି ଖଣ୍ଡରେ ବିଭାଜିତ ହୋଇଗଲା ବିମାନ:
ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ୭ ଘଣ୍ଟା ୪୧ ମିନିଟରେ ଲ୍ୟାଣ୍ଡିଙ୍ଗ ସମୟରେ ବିମାନଟି ରନୱେରୁ ଖସି ଯାଇ ଏକ ଘାଟିରେ ପଡିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଆହତ ଏବଂ ମୃତକଙ୍କ ସଂଖ୍ୟାକୁ ନେଇ କୌଣସି ପୁଷ୍ଟି କରାଯାଇ ନାହିଁ। କେବଳ ବିମାନ ଚଳାଉଥିବା ପାଇଲଟଙ୍କ ମୃତ୍ୟୁର ସୂଚନା ମିଳିଛି। ମିଳିଥିବା ଖବର ହିସାବରେ ଅତ୍ୟଧିକ ବର୍ଷା ଯୋଗୁ ରନୱେ ଜଳ ଭରି ରହିଥିଲା ଏହି କାରଣରୁ ବିମାନଟି ରନୱେରୁ ଆଗକୁ ବାହାରି ଯାଇଥିଲା। ପାଖାପାଖି ୩୦ ଫୁଟ ଗଭୀର ଘାଇରେ ଯାଇ ପଡିଥିଲା। ବିମାନଟି ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଯାଇଥିଲା ଏବଂ ଏହା ଦୁଇଟି ଭାଗରେ ବିଭାଜିତ ହୋଇଯାଇଥିଲା।