ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ନିଙ୍ଗ ଜାରି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ, ବର୍ଷୀବ ପ୍ରବଳ ବର୍ଷା…

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ତରଫରୁ କେତେକ ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇ ସାରିଛି।

ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ, ଅଗଷ୍ଟ ୪ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଦାନା ବାନ୍ଧିଥିବା ଘୁର୍ଣ୍ଣିବଳୟ ଦ୍ୱାରା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ସହିତ ମିଶିବା ପରେ ଅଧିକ ଶକ୍ତିଶାଳୀ ହୋଇଯିବ। ଏହାର ପ୍ରଭାବରେ ଅଗଷ୍ଟ ୩ରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ହେବ।

ବର୍ତ୍ତମାନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଏହାର ପାଶ୍ୱବର୍ତ୍ତୀ ଉତ୍ତର ତାମିଲନାଡ଼ୁ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଆସନ୍ତା ଅଗଷ୍ଟ ୪ତାରିଖରେ ଉତ୍ତର ବେଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ମୌସୁମିକୁ ସକ୍ରିୟ କରାଇବ। ଏହାଦ୍ୱାରା ଅଧିକ ବର୍ଷା ହେବ ଏବଂ ଚାଷ କାର୍ଯ୍ୟରେ ବିଳମ୍ବ ହୋଇଥିଲେ ବି ପରିସ୍ଥିତି ସୁଧରିବାର ସମ୍ଭାବନା ରହିଛି।

ତେବେ ରାଜ୍ୟର ଉତ୍ତରରେ ଥିବା ଜିଲ୍ଳା ଗୁଡିକରେ ଯଥା, ସୁନ୍ଦରଗଡ, ସୁନ୍ଦରଗଡ଼, କେନ୍ଦୁଝର ,ମୟୁରଭଞ୍ଜ ଢେଙ୍କାନାଳ , ଅନୁଗୋଳ, କଟକ ,ଖୋର୍ଦ୍ଧା ,ନୟାଗଡ଼ , କନ୍ଧମାଳ ,ଗଞ୍ଜାମ , ଗଜପତି ଓ ରାୟଗଡାରେ ସ୍ଥାନେ ସ୍ଥାନେ ଅଗଷ୍ଟ ୧ରୁ ଘଡଘଡି ବିଜୁଳି ସହିତ ବର୍ଷା ହୋଇପାରେ।

ଜୁଲାଇ ୩୧ ତାରିଖରୁ ରାଜ୍ୟର କିଛି ସ୍ଥାନରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଷ୍ଟିପାତ ଲାଗି ରହିବ ବୋଲି ପଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ମାସ ଆରମ୍ଭରୁ ୬ରୁ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଉତ୍ତର ଏବଂ ପୂର୍ବ ରାଜ୍ୟ ଗୁଡିକରେ ଲଘୁଚାପ ପ୍ରଭାବରୁ ବର୍ଷା ଦେଖିବାକୁ ମିଳିବ।

ଅଗଷ୍ଟ ମାସ ୨ ତାରିଖ ଠାରୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡ଼ା, ବରଗଡ଼ ଏବଂ ବୌଦ୍ଧ ଆଦି ଜିଲ୍ଲାରେ ଲଘୁଚାପର ପ୍ରଭାବ ଲାଗି ରହିବ।

ପାଣିପାଗ ବିଭାଗର ସୂଚନା ମୁତାବକ ଅଗଷ୍ଟ ୩ ତାରିଖରୁ ମାଲକାନଗିରି, କୋରାପୁଟ ,ଗଞ୍ଜାମ, ବଲାଙ୍ଗୀର, ଦେବଗଡ଼ ,ଅନୁଗୋଳ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଲଘୁଚାପ ଜନିତ ବର୍ଷା ହେବ। ପ୍ରବଳ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଏହି ଜିଲ୍ଲା ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ତାଙ୍କର ପୂର୍ବ ଆକଳନକୁ ଦୋହରାଇ କହିଛନ୍ତି ଯେ ଅଗଷ୍ଟ ୪ରେ ଲଘୁଚାପ ହେଲେ ଏହା ୩୬ଘଣ୍ଟା ଭିତରେ ପଶ୍ଚିମ ଦିଗରେ ସ୍ଥଳଭାଗକୁ ଗତି କରିବ। ଏହା ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ର ଉପରେ ରହିବ। ଏହାର ପ୍ରଭାବରେ ରାଜ୍ୟରେ ୩ରୁ ୬ ପର୍ଯ୍ୟନ୍ତ ବର୍ଷା ହେବ। ୫ରେ ସବୁଠୁ ଅଧିକ ବର୍ଷିବ।

ଲଘୁଚାପ ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ଯିବାକୁ ପାଣିପାଗ ବିଭାଗ ତରଫରୁ ବାରଣ କରାଯାଇଛି। ତେବେ ବର୍ଷା ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ଅପେକ୍ଷାକୃତ କମ ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ନଦୀ ଫୁଲିବାର ବି ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *