ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଯେଉଁ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ଅଭିନୟ କରୁଥିଲେ ସେହି ଶକୁନ୍ତଳା ଦେବୀଙ୍କୁ ମ୍ୟାଥର ୱାଣ୍ଡର ୱମେନ ମଧ୍ୟ କୁହାଯାଉଥିଲା। ସେ ଯେତେ ବଡ଼ କାଲକ୍ୟୁଲେସନ ହୋଇଥାଉ ନା କାହିଁକି ଶକୁନ୍ତଳା ଦେବୀ ମାତ୍ର କିଛି ସେକେଣ୍ଡ ଭିତରେ ଉତ୍ତର ବାହାର କରିଦେଉଥିଲେ। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ଚକିତ ରହିଯାଉଥିଲେ।
ଧୀରେ ଧୀରେ ସେ ସମୟର ମ୍ୟାଥରେ ଏହି ୱାଣ୍ଡର ୱମେନ ହଲଚଲ କରିବା ଆରମ୍ଭ କରିଦେଇଥିଲେ। ସେହି ସମୟରେ ଦୁନିଆର ଲୋକଙ୍କୁ କମ୍ପ୍ୟୁଟର ବିଷୟରେ କିଛି ଜଣା ନଥିଲା। ସେତେବେଳେ କାଲକ୍ୟୁଲେଟର ମଧ୍ୟ ନଥିଲା। ସେତେବେଳେ ବଡ଼ ରୁ ବଡ଼ ସଂଖ୍ୟାକୁ ମାତ୍ର କିଛି ସମୟ ମଧ୍ୟରେ ମୁହଁରେ ଯୋଗ, ବିୟୋଗ, ଗୁଣନ ଏବଂ ହରଣ କରି ଦେଖାଉଥିଲେ ଶକୁନ୍ତଳା ଦେବୀ। ଶକୁନ୍ତଳା ଦେବୀଙ୍କ ଏପରି ଜ୍ଞାନ ଦେଖି ଲୋକମାନେ ସ୍ତବ୍ଧ ରହି ଯାଇଥିଲେ।
କୌଣସି ମେସିନର ସାହାଯ୍ୟ ନନେଇ କଠିନରୁ କଠିନତର ଗାଣିତିକ ପ୍ରଶ୍ନର ଉତ୍ତର ବାହାର କରିପାରୁଥିବା ଅସାଧାରଣ ପ୍ରତିଭା କାରଣରୁ ପିଲା ବେଳୁ ହିଁ ଶକୁନ୍ତଳା ଦେବୀଙ୍କ ନାଁ ପ୍ରସିଦ୍ଧ ହେବା ଆରମ୍ଭ ହୋଇଯାଇଥିଲା। ତାଙ୍କ ପାଖରେ ଏହି ପ୍ରତିଭା ସ୍ୱାଭାବିକ ଭାବରେ ରହିଥିଲା। ଏହା କାରଣ ଥିଲା ଯେ କମ୍ପ୍ୟୁଟର ଆସିବା ପରେ ଶକୁନ୍ତଳା ଦେବୀଙ୍କୁ ଲୋକମାନେ ମାନବ କମ୍ପ୍ୟୁଟର କହିବାକୁ ଲାଗିଲେ।
ସର୍କସରେ କାମ କରୁଥିବା ଶକୁନ୍ତଳା ଦେବୀଙ୍କ ପିତା ତାଙ୍କୁ ଛୋଟ ବେଳୁ ତାଶର କାର୍ଡ଼ରେ ଗଣିତ ଶିଖାଉ ଥିଲେ। ଶକୁନ୍ତଳା ଦେବୀଙ୍କ ସ୍ମରଣ ଶକ୍ତି ଅଦ୍ଭୁତ ରହିଥିଲା। ଯେତେବେଳେ ସେ କେବଳ ୩ ବର୍ଷ ବୟସର ହୋଇଥିଲେ ସେତେବେଳୁ ସେ ଗଣିତ କରିବା ଆରମ୍ଭ କରିଦେଇଥିଲେ। ପିତା ତାଙ୍କ ଅଦ୍ଭୁତ ପ୍ରତିଭାକୁ ଜାଣି ସାରିଥିଲେ। ସେହି ବୟସରେ କେତେଥର ତାଶ ଖେଳରେ ଶକୁନ୍ତଳା ଦେବୀ ତାଙ୍କ ପିତାଙ୍କୁ ହରାଇ ଦେଇଥିଲେ। ଶକୁନ୍ତଳାଙ୍କ ପିତା ସର୍କସରୁ କାମ ଛାଡି ସମ୍ପୂର୍ଣ୍ଣ ଧ୍ୟାନ ଶକୁନ୍ତଳାଙ୍କ ଉପରେ ଦେବା ଆରମ୍ଭ କରିଦେଇଥିଲେ। ଶକୁନ୍ତଳାଙ୍କ ସହିତ ତାଙ୍କ ପିତା ସର୍ବଜନିକ କାର୍ଯ୍ୟକ୍ରମ କରିବା ଆରମ୍ଭ କରିଦେଇଥିଲେ। ଏହାଦ୍ବାରା ଶକୁନ୍ତଳା ଦେବୀ ଧୀରେ ଧୀରେ ଲୋକପ୍ରିୟ ହେବାକୁ ଲାଗିଲେ।
ଯେତେବେଳେ ବିବିସି ରେଡ଼ିଓର ଏକ କାର୍ଯ୍ୟକ୍ରମରେ ଶକୁନ୍ତଳା ଦେବୀଙ୍କୁ ଏକ କଠିନ ଗଣିତ ପ୍ରଶ୍ନ ପଚରା ଗଲା ଏବଂ ଏହାର ଉତ୍ତର ସେ କିଛି ନିମିଷରେ ଦେଇଦେଲେ ସେତେବେଳେ ପ୍ରଥମଥର ପାଇଁ ସେ ଲୋକଙ୍କ ସମ୍ମୁଖରେ ଆସିଥିଲେ ଏବଂ ପ୍ରଶଂସାର ପାତ୍ର ହୋଇଥିଲେ। ଶକୁନ୍ତଳା ଦେବୀ ଯେଉଁ ଉତ୍ତର ଦେଇଥିଲେ ତାହା ସଠିକ ହୋଇଥିବା ବେଳେ ରେଡ଼ିଓ ପ୍ରସ୍ତୋତାଙ୍କ ଉତ୍ତର ଭୁଲ ଥିଲା।
ଶକୁନ୍ତଳା ଦେବୀଙ୍କ ଅସାଧାରଣ ପ୍ରତିଭା କାରଣରୁ ତାଙ୍କ ପ୍ରତିଷ୍ଠା ଦୁନିଆ ସାରା ବିସ୍ତାର ହେବାକୁ ଲାଗିଲା। ମହୀଶୂର ବିଶ୍ୱବିଦ୍ୟାଳୟଠାରୁ ଅନ୍ନାମଲାଇ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ, ସାରା ବିଶ୍ୱର ଅନୁଷ୍ଠାନ ଏବେ ତାଙ୍କ ବିଷୟରେ ଜାଣିବାକୁ ଲାଗିଲାଣି। ଶକୁନ୍ତଳା ଦେବୀ କେବଳ ଏକ ଗଣିତଜ୍ଞ ନଥିଲେ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ତାଙ୍କର ଜ୍ଞାନ ଥିଲା।
ଏହାଛଡା ଏକ ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଲେଖିକା ଥିଲେ ଶକୁନ୍ତଳା ଦେବୀ। ୱାର୍ଲ୍ଡ ଅଫ୍ ନମ୍ବର, ପରଫେକ୍ଟ ମର୍ଡର, ଏଷ୍ଟ୍ରୋଲୋଜି ଫୋର ୟୁ, ୱାର୍ଲ୍ଡ ଅଫ୍ ହୋମୋ ସେକ୍ସୁଆଲସ୍ ପରି ଅନେକ ବହି ଲେଖିଥିଲେ ଶକୁନ୍ତଳା। ଅଳଗୋରିଦମ ସହିତ ଯୋଗ , ବିୟୋଗ, ଗୁଣନ, ହରଣ, ବର୍ଗମୂଳ ଏବଂ ବୈଦିକ ଗଣିତ ଉପରେ ମଧ୍ୟ ଶକୁନ୍ତଳା ଦେବୀଙ୍କର ବହୁତ ଜ୍ଞାନ ରହିଥିଲା। ପୂର୍ବ ଶତାବ୍ଦୀରେ କୌଣସି ତାରିଖର ଦିନ ଏବଂ ସପ୍ତାହ ବିଷୟରେ ପଚାରିଲେ ସେ ତୁରନ୍ତ କହିଦେଉ ଥିଲେ।
ଶକୁନ୍ତଳା ଦେବୀ ମାନସିକ ସ୍ତରରେ ୧୩ ଅଙ୍କ ବିଶିଷ୍ଟ ଦୁଇଟି ସଂଖ୍ୟା “୨,୪୬୫,୦୦୯,୭୪୫,୭୭୯” ଏବଂ “୭,୬୮୬,୩୬୯,୭୭୪,୮୭୦”ର ଗୁଣଫଳର ସଠିକ ଉତ୍ତର ଜୁନ ୧୮ ତାରିଖ, ୧୯୮୦ ମସିହାରେ ମାତ୍ର 18 ସେକେଣ୍ଡରେ ଦେଇଥିଲେ। ଶକୁନ୍ତଳା ଦେଇଥିବା ଏହି ପ୍ରଶ୍ନର ଉତ୍ତର ଥିଲା ୧୮,୯୪୭,୬୬୮,୧୭୭,୯୯୫,୪୨୬,୪୬୨,୭୭୩,୭୩୦। ଏଥିପାଇଁ ସେ ଲଣ୍ଡନର ଇମ୍ପେରିଆଲ୍ କଲେଜର କମ୍ପ୍ୟୁଟର ବିଭାଗରେ ମଧ୍ୟ ମନୋନୀତ ହୋଇଥିଲେ।
ସେତେବେଳେ ସବୁଠୁ ଅଧିକ ଗତିରେ ଚାଲୁଥିବା ଯେଉଁ କମ୍ପ୍ୟୁଟର ରହିଥିଲା, ଶକୁନ୍ତଳା ଦେବୀ ସେହି କମ୍ପ୍ୟୁଟରକୁ ମଧ୍ୟ ହରାଇବାର ଶକ୍ତି ରଖୁଥିଲେ। ୪ ନଭେମ୍ବର, ୧୯୩୯ ଦିନ ବାଙ୍ଗଲୁରୁରେ ଜନ୍ମଗ୍ରହଣ କରିଥିବା ଶକୁନ୍ତଳା ଦେବୀଙ୍କ ନାମ, ୧୯୯୫ ମସିହାରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରେକର୍ଡ କରାଯାଇଥିଲା। ଏହା ତାଙ୍କ ଜୀବନର ସବୁଠୁ ବଡ଼ ଉପଲବ୍ଧି ଥିଲା।
୧୯୭୭ ମସିହାରେ ଶକୁନ୍ତଳା ଦେବୀ ଟେକ୍ସାସର ସାଉଥ ମେଥୋଡିଷ୍ଟ ୟୁନିଭରସିଟିରେ, “୨୦୧”ର ୨୩ତମ ଘାତ/ବର୍ଗମୂଳର ସଠିକ ଉତ୍ତର “୫୪୬୩୭୨୮୯୧” କେବଳ ୫୦ ସେକେଣ୍ଡରେ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେତେବେଳର ସବୁଠୁ ଦୃତ କମ୍ପ୍ୟୁଟର “ୟୁନିବେକ”କୁ ମଧ୍ୟ ଶକୁନ୍ତଳା ଦେବୀ ହରାଇ ଦେଇଥିଲେ। ୟୁନିବେକ କମ୍ପ୍ୟୁଟରକୁ ଏହି ଉତ୍ତର ବାହାର କରିବା ପାଇଁ ୬୨ ସେକେଣ୍ଡ ଲାଗିଯାଇଥିଲା। ଏହାଛଡା ଶକୁନ୍ତଳା ଦେବୀ ୩୩୨୮୧୨୫୫୭ର ଘନମୂଳ ମାତ୍ର ୧ ମିନିଟରେ କହିଦେଇଥିଲେ।
୧୯୬୦ ମସିହାରେ କଲିକତାର ଜଣେ ଆଇଏଏସ ଅଧିକାରୀ ପାରିତୋଷ ବାନାର୍ଜୀଙ୍କ ସହିତ ଶକୁନ୍ତଳାଙ୍କ ବିବାହ ମଧ୍ୟ ହୋଇଥିଲା। ମାତ୍ର ୧୯୬୯ରେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ୧୯୮୦ରେ ବାଙ୍ଗଲୁରୁ ଫେରି ଆସିଥିଲେ। ଏଠାରେ ସେ ରାଜନୀତିଜ୍ଞ ଏବଂ ସେଲିବ୍ରେଟି ମାନଙ୍କୁ ଜ୍ୟୋତିଷ ସମ୍ବନ୍ଧୀୟ ପରାମର୍ଶ ଦେବା ଆରମ୍ଭ କରିଦେଇଥିଲେ। ଶକୁନ୍ତଳା ଦେବୀ ନିଜ ଜୀବନର ଅନ୍ତିମ ସମୟରେ ଦୁର୍ବଳ ହୋଇଯାଇଥିଲେ। ତାଙ୍କୁ କିଡନୀ ଜନିତ ସମସ୍ୟା ରହିଥିଲା। ବହୁତ ଦିନ ପର୍ଯ୍ୟନ୍ତ ରୋଗ ସହିତ ଲଢ଼ିବା ପରେ ୮୩ ବର୍ଷ ବୟସରେ ସେ ବଙ୍ଗଲୁରୁ ଠାରେ ୨୧ ଅପ୍ରେଲ, ୨୦୧୩ ମସିହାରେ ପ୍ରାଣ ହରାଇଥିଲେ।