କରୋନା ସଜେଇ ଦେଲା ନାୟିକାଙ୍କୁ ରାସ୍ତା କଡ଼ର ବେପାରୀ। ରାସ୍ତା କଡରେ ଫଳ ବିକୁଛନ୍ତି ନାୟିକା।

ରଙ୍ଗୀନ ପରଦାରେ ଚକ୍ ଚକ୍ ଦିଶୁଥିବା ମୁଖା ପଛରେ ବି ଲୁଚି ରହିଥାଏ ଅସରନ୍ତି ଦୁଃଖ। ରଙ୍ଗମଞ୍ଚରେ ପ୍ରସାଧନ ବୋଳା ମୁହଁରେ କରୁଥିବା ରୋମାଣ୍ଟିକ ଅଭିନୟର ପରଦା ପଛରେ ବି ରହିଥାଏ ଟ୍ରାଜେଡ଼ିର ଏକ ଅକୁହା କାହାଣୀ। ଅଭିନୟର କୋଳାହଳରେ ଜୀବନର ଦୁଃଖ ଦେଖାଯାଉନଥିଲେ ବି ସମୟ ଦିନେ ନା ଦିନେ ମଣିଷର ଧର୍ଯ୍ୟ ଭାଙ୍ଗିଦେଇଥାଏ। ହଜାର ହଜାର ଦର୍ଶକଙ୍କ ମନ କିଣିନେଉଥିବା ଅଲବମ ନାୟିକା ଶେଷରେ ନିଜ ପରିବାର ପାଇଁ ରାସ୍ତା କଡରେ ଫଳ ବିକୁଛନ୍ତି। ଅଭିନୟ ପ୍ରତିଭାର ଅଧିକରିଣୀ ନାୟିକା ପ୍ରତିଭା ମହାରଣାଙ୍କୁ ଯାତ୍ରା ଦର୍ଶକମାନେ ରିଙ୍କି ନାଁରେ ଜାଣନ୍ତି।

ପ୍ରତିଭାଙ୍କ ଘର ଖୋର୍ଦ୍ଧା ସ୍ଥିତ ରାଜସୁନାଖଳା ହଳଦୀପଡିଆ ଗ୍ରାମରେ। ମାତ୍ର ସେ କଳିଙ୍ଗ ନଗରସ୍ଥିତ କେ-୪ରେ ରହୁଛନ୍ତି। କରୋନା ମହାମାରୀ କାରଣରୁ ଯାତ୍ରା ବନ୍ଦ ହୋଇଯିବାରୁ ପ୍ରତିଭାଙ୍କ ରୋଜଗାର ମଧ୍ୟ ହୋଇଯାଇଥିଲା। ଟଙ୍କାର ଅଭାବ ଦେଖାଦେବାରୁ ପ୍ରତିଭାଙ୍କ ବୁଦ୍ଧି ହଜିଯାଇଥିଲା। କିଛି ଉପାୟ ନପାଇ ମାଆଙ୍କ ଠାରୁ ଟଙ୍କା ଆଣି ଟାଟା ଏରିଆନା ଛକରେ ଫଳ ବିକ୍ରି କରିଥିଲେ। ହେଲେ ଅଭିନୟରେ ସଫଳତା ଅର୍ଜନ କରିଥିବା ରିଙ୍କି ଜୀବନର ସତ ସତିକା ଅଭିନୟରେ ହାରିଯାଇଛନ୍ତି। ଫଳ ବେପାର ଆରମ୍ଭ କରିଥିଲେ ସତ କିନ୍ତୁ ବ୍ୟବସାୟ ଚାଲିଲା ନାହିଁ।

୧୦ ବର୍ଷ ତଳେ ଅଲବମ ଗୀତକୁ ନେଇ ଦର୍ଶକଙ୍କ କ୍ରେଜ ରହିଥିଲା। ସେସମୟରେ “ତୋ ଚକଲେଟ ଖିଆ ବୟସ ଯାଇନି ପ୍ରେମ କାଉଠୁ ଶିଖିଲୁ” ପରି ହିଟ ଅଲବମରେ ସୁମନଙ୍କ ସହିତ ଅଭିନୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ରିଙ୍କି। ଏହାପରେ ସବ୍ୟସାଚୀଙ୍କ ପରି ବଡ଼ ବଡ଼ ଅଭିନେତାଙ୍କ ସହିତ ଅନେକ ହିଟ ଅଲବମରେ ଅଭିନୟ କରିଛନ୍ତି ରିଙ୍କି। ମାତ୍ର ଛୋଟ ପରଦାରେ ବେଶି ଦିନ ତିଷ୍ଠି ପାରିଲେ ନାହିଁ ରିଙ୍କି।

ରିଙ୍କିଙ୍କର ଚିନ୍ତା ସେହିଦିନ ବଢ଼ିଲା ଯେତେବେଳେ ତାଙ୍କ ବାପାଙ୍କ ଆଙ୍ଗୁଳି କଟି ଯିବାରୁ ସେ ଆଉ କାର୍ଯ୍ୟ କରିବାକୁ ଅକ୍ଷମ ହୋଇଗଲେ। ରିଙ୍କିଙ୍କ ବଡ଼ ଭଉଣୀ ମଧ୍ୟ ଅଭିନୟ କରି ପରିବାରର ଆବଶ୍ୟକତା ମେଣ୍ଟାଉ ଥିଲେ। କିନ୍ତୁ ବଡ଼ ଭଉଣୀଙ୍କ ବିବାହ ପରେ ରିଙ୍କିଙ୍କ ଚିନ୍ତା ଆହୁରି ବଢ଼ିଗଲା। ବୋଝ ଉପରେ ନଳିତା ବିଡା ପରି ଏପଟେ ମାଆଙ୍କୁ ମଧ୍ୟ ପକ୍ଷାଘାତ ହୋଇଗଲା। ଏସବୁ ପରେ ଭାଙ୍ଗି ପଡିଲେ ରିଙ୍କି। ଅଲବମର କ୍ରେଜ କମିଯିବାରୁ ରିଙ୍କି ବାଧ୍ୟ ହୋଇ ଯାତ୍ରା ଜଗତର ପାର୍ଶ୍ଵ ନାୟିକା ଭାବେ ପାଦ ଥାପିଲେ।

ପ୍ରଥମ କରି ଯାତ୍ରା ରଙ୍ଗମହଲରେ ଏଣ୍ଟ୍ରି କରିବା ପରେ “ମନ ଦେଇଥିଲି ମନୁ ଭାଇକୁ, ମିଛୁଆ ରାଧୁଆ ଗପ ସରିଲା, କିଣିନେଲା ମନ କଳାନାଗର, ହେ ଈଶ୍ବର କାନ୍ଦିବା ଆସ, ଯାତ୍ରା ଇନ୍ଦ୍ରଭୁବନରେ ‘ଭଲ ପାଇ କିଏ ଭଲରେ ଅଛି, ବୁଧବାର ଦିନ ବାପା ମରିବେ, ସାର୍ଟ ହଜିଲା ସନା ଦାସର, ଭାଇ ଭଉଣୀର ନୂଆ କାହାଣୀ‌” ଭଳି ଯାତ୍ରାରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ପାତ୍ର ହୋଇଥିଲେ। ଏଥର ଯାତ୍ରା ସ୍ବପ୍ନମହଲରେ “ଆପଣମାନେ ଖୁସି ତ?” ଯାତ୍ରାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରିଙ୍କି।

ଯାତ୍ରାର ନାମିଦାମୀ କଳାକାରଙ୍କୁ ଆଗୁଆ ଟଙ୍କା ମିଳିଯାଉଥିବା ବେଳେ ରିଙ୍କିଙ୍କ ପରି ପାର୍ଶ୍ୱ ନାୟିକାଙ୍କୁ ଯାତ୍ରା ଋତୁ ଆରମ୍ଭରେ ହିଁ ଦରମା ମିଳିଥାଏ। ତେବେ ରିଙ୍କିଙ୍କ ଏପରିସ୍ଥିତ ବିଷୟରେ ଜାଣିବା ପରେ ଅଭିନେତା ସବ୍ୟସାଚୀ ତାଙ୍କୁ ଘର ଚଳିବା ପାଇଁ ଦୁଇ ମାସର ରାସନ ସହିତ ପକ୍ଷାଘାତରେ ପୀଡିତ ମାଆଙ୍କ ପାଇଁ କିଛି ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଏପରି ସମୟରେ ରିଙ୍କିଙ୍କ ଘର ରାସନ କାର୍ଡ଼ ମଧ୍ୟ ନାହିଁ ଯେଉଁ ନେତାଙ୍କୁ କହିଲେ ସେମାନେ କହିଛନ୍ତି କରୋନା ଯାଉ। ମାତ୍ର କରୋନା ସମୟରେ ବଞ୍ଚିବା ପାଇଁ ସହାୟତା ଲୋଡିଛନ୍ତି ନାୟିକା ରିଙ୍କି। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବେ ତେବେ ତାଙ୍କ ଫୋନ ନମ୍ବର ୬୩୭୧୭୫୮୮୫୭ ରେ ଯୋଗାଯୋଗ କରି ସହାୟତା ଯୋଗାଇ ଦେଇ ପାରିବେ।

Leave a Reply

Your email address will not be published. Required fields are marked *